Categories: ଗଞ୍ଜାମ

ଫିରିଙ୍ଗିଆ ମେଡିକାଲରେ ଜେନେରେଟର ଅଚଳ: ଲାଇନ କଟିଲେ ରୋଗୀ ହନ୍ତସନ୍ତ

ଫିରିଙ୍ଗିଆ,୨୭ା୫-ଫିରିଙ୍ଗିଆ ମେଡିକାଲ ବହୁ ଅବ୍ୟବସ୍ଥା ନେଇ ଗତି କରୁଛି। ରବିବାର ଏଠାରେ ବିଦ୍ୟୁତ୍‌ କାଟ ହୋଇଥିବାବେଳେ ଜେନେରେଟର ଚାଲୁ ନ ଥିଲା। ରୋଗୀମାନେ ଅସହ୍ୟ ଗରମରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବିଦ୍ୟୁତ କାଟ ନେଇ ଫୁଲବାଣୀ ସମେତ ଜିଲାର ସମସ୍ତ ଅଞ୍ଚଳକୁ ସୂଚନା ଦିଆଯାଇଥିଲା। ପୂର୍ବାହ୍ନ ୮ଟାରେ ବିଦ୍ୟୁତ୍‌ କାଟି ଦିଆଯାଇଥିଲା। ମାତ୍ର ଫିରିଙ୍ଗିଆ ମେଡିକାଲରେ ସବୁଦିନ ପରି ରୋଗୀଙ୍କ ଗହଳି ଲାଗିଥିବାବେଳେ ମଧ୍ୟାହ୍ନ ୧୨ଟା ଯାଏ ଡାକ୍ତରଙ୍କ ଦେଖା ନ ଥିଲା। ଏପଟେ ଲାଇନ ନ ଥିବାରୁ ପ୍ରବଳ ଗରମରେ ଅପେକ୍ଷା କରି ଲୋକେ ହନ୍ତସନ୍ତ ହୋଇଥିଲେ। ୱାର୍ଡରେ ଆଡମିଶନ ହୋଇଥିବା ରୋଗୀଙ୍କର ମଧ୍ୟ ସମାନ ଅବସ୍ଥା। ଜେନେରେଟର ଚାଲୁ ନ ଥିବାରୁ ଫ୍ୟାନ ବନ୍ଦ ଥିଲା। ଏନେଇ ଜଣେ କର୍ମଚାରୀଙ୍କୁ ପଚାରିବାରୁ ଜେନେରେଟର ଖରାପ ଥିବା କହି ଚାଲି ଯାଇଥିଲେ। ଯାହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି ା ଏ ନେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ଫୋନ କରିଥିଲେ ମଧ୍ୟ ସେ ଗ୍ରହଣ କରି ନ ଥିଲେ।