ଦୁବାଇ,୫ା୧୨(ପି.ଟି.)- ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଶୁକ୍ରବାରଠାରୁ ଖେଳାଯିବାକୁ ଥିବା ଟି୨୦ ସିରିଜ୍ରେ ଫ୍ରଣ୍ଟ ଫୁଟ୍ ନୋ ବଲ ଫିଲ୍ଡ ଅମ୍ପାୟର ଦର୍ଶାଇବେ ନାହିଁ। ଏହି ଗୁରୁଦାୟିତ୍ୱ ତୃତୀୟ ଅମ୍ପାୟର ନିର୍ବାହ କରିବେ ବୋଲି ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ କୁହାଯାଇଛି। ଏହି ସିରିଜ୍ରେ ୩ ମ୍ୟାଚ୍ ଖେଳାଯିବ। ପରେ ଉଭୟ ଦଳ ମଧ୍ୟରେ ଦିନିକିଆ ସିରିଜ୍ ଖେଳାଯିବାର କାର୍ଯ୍ୟସୂଚୀ ରହିଛି। ନୋ ବଲ ଚିହ୍ନଟ କରିବା ପାଇଁ ଟେକନୋଲୋଜି ବ୍ୟବହାର କରାଯିବ ପ୍ରକ୍ରିୟା ଆରମ୍ଭ ହେବ। ତେବେ ପରିକ୍ଷା ଭିତ୍ତିରେ ହେବ। ଏଥିଯୋଗୁ ପ୍ରତ୍ୟେକ ବଲ ନୋ ବଲ କି ନୁହେଁ, ତାହା ତୃତୀୟ ଅମ୍ପାୟର ଯାଞ୍ଚ କରିବେ। ଆବଶ୍ୟକତା ପଡ଼ିଲେ ଫିଲ୍ଡ ଅମ୍ପାୟରଙ୍କ ସହାୟତା ନିଆଯାଇପାରେ। ଫଳରେ ଅନ୍ ଫିଲ୍ଡ ଅମ୍ପାୟର ଫ୍ରଣ୍ଟ ଫୁଟ ନୋ ବଲ ଡାକି ପାରିବେ ନାହିଁ। କୌଣସି ସ୍ଥିତିରେ ଦ୍ୱିନ୍ଦ୍ୱ ହେଲେ ବୋଲରଙ୍କ ସପକ୍ଷରେ ନିଷ୍ପତ୍ତି ନିଆଯିବ। ଅନ୍ୟ ସମସ୍ତ ନିଷ୍ପତ୍ତି ଅମ୍ପାୟର ନେବେ ବୋଲି ଆଇସିସି ଏକ ବିବୃତିରେ କହିଛି। ଏହି ନିଷ୍ପତ୍ତି ଚଳିତବର୍ଷ ଅଗଷ୍ଟରେ ନିଆଯାଇଥିଲା। ପୂର୍ବରୁ ୨୦୧୬ରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଦିନିକିଆ ସିରିଜ୍ରେ ଏହି ନିୟମ ବ୍ୟବହାର କରାଯାଇଥିଲା। କ୍ରିକେଟ କମିଟିର ସୁପାରିଶ ପରେ ଆଇସିସି ଯଥା ସମ୍ଭବ ମ୍ୟାଚ୍ରେ ପୁଣି ଥରେ ଟେଷ୍ଟ କରିବାକୁ ନିଷ୍ପତ୍ତି ନେଇଛି।