ଫିଲ୍ମଫେୟାର ଦୌଡ଼ରେ ଓଡ଼ିଆ ଫିଲ୍ମମେକର

ଭୁବନେଶ୍ୱର,୨୪ା୧(ବ୍ୟୁରୋ):ପ୍ରଥମଥର ପାଇଁ ଓଡ଼ିଶାରୁ ଏକ କ୍ଷୁଦ୍ର ଚଳଚ୍ଚିତ୍ର ‘ଫିଲ୍ମଫେୟାର ଶର୍ଟ ଫିଲ୍ମ ଆଓ୍ବାର୍ଡସ-୨୦୨୦’ ପ୍ରତିଯୋଗିତା ଦୌଡ଼ରେ ସାମିଲ ହୋଇଛି। ଓଡ଼ିଶା ଜନ୍ମିତ ବିଜ୍ଞାପନ ଫିଲ୍ମ ନିର୍ମାତା ଦୟାନିଧି ଦହିମାଙ୍କ ଦ୍ୱାରା ନିର୍ମିତ ପ୍ରଥମ କ୍ଷୁଦ୍ର ଚଳଚ୍ଚିତ୍ର ‘ନବାବ’ ଏହି  ସମ୍ମାନଜନକ ଚଳଚ୍ଚିତ୍ର ପୁରସ୍କାର ପାଇଁ ମନୋନୀତ ହୋଇଥିବା ଶ୍ରେଷ୍ଠ ୩୫ ଚଳଚ୍ଚିତ୍ର ତାଲିକାରେ ସ୍ଥାନ ପାଇଛି। ୨୦ ମିନିଟରୁ କମ୍‌ ସମୟର ଏହି ଚଳଚ୍ଚିତ୍ରରେ ଅପାରଶକ୍ତି ଖୁରାନା, ମଲ୍ଲିକା ଦୁଆ, ମାରିଆ ଗୋରେଟ୍ଟି ଓ ଗୀତିକା ବିଦ୍ୟାଙ୍କ ଭଳି ଦକ୍ଷ କଳାକାରମାନେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶକ ମାନସୀ ଜୈନ ଏହାର କାହଣୀ ମଧ୍ୟ ଲେଖିଛନ୍ତି। ଦୟାନିଧିଙ୍କ ଫିଲ୍ମ ପ୍ରଡକ୍ସନ ହାଉସ୍‌ ‘ଦୟା ଏଣ୍ଟରଟେନ୍‌ମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌’ ଏବଂ ‘ବିଗ୍‌ ବ୍ୟାନର୍‌ ଫିଲ୍ମସ’ ଦ୍ୱାରା ମିଳିତ ଭାବେ ଏହାକୁ ପ୍ରସ୍ତୁତ କରାଯାଇଛି। ରାଜଗାଙ୍ଗପୁରରେ ଜନ୍ମିତ ୨୮ବର୍ଷୀୟ ଦୟାନିଧିଙ୍କ ପିଲାବେଳୁ ଫିଲ୍ମମେକିଂରେ ଆଗ୍ରହ ଥିବାବେଳେ ଏଥିପାଇଁ ସେ ମୁମ୍ବାଇ ଯାଇଥିଲେ। ଏଫ୍‌ଟିଆଇଆଇରୁ ଫିଲ୍ମମେକିଂରେ ଶିକ୍ଷା ଗ୍ରହଣ କରିଥିବା ଏହି ଯୁବ ପ୍ରତିଭା ଏକାଧିକ ଆଡ୍‌ ଫିଲ୍ମ ନିର୍ମାଣ କରି ଚର୍ଚ୍ଚାକୁ ଆସିଥିଲେ।

Share