ଫିଲ୍ମ ‘ଗଲି ବୟ୍‌’ ଓସ୍କାର ଏଣ୍ଟ୍ରି ପରେ ଏମିତି କହିଲେ ଆଲିଆ, ରଣବୀର

ଓସ୍କାର ୨୦୨୦ ପାଇଁ ଫିଲ୍ମ ‘ଗଲି ବୟ’କୁ ଭାରତର ଅଫିସିଆଲ ଏଣ୍ଟ୍ରି ଭାବେ ମନୋନୀତ କରାଯାଇଛି। ଜୋୟା ଅଖତରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣବୀର ସିଂହ ଏବଂ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମଟି ଓସ୍କାର ଏଣ୍ଟ୍ରି ପାଇବା ପରେ ଖୁସିରେ ଆତ୍ମହରା ହୋଇପଡିଛନ୍ତି ଆଲିଆ ଏବଂ ରଣବୀର। ‘ଗଲି ବୟ’ ଏକ ସ୍ବତନ୍ତ୍ର ଚଳିଚ୍ଚିତ୍ର। ରିଲିଜ୍‌ ହେବା ପରଠାରୁ ଫିଲ୍ମର ସଫଳତା ଜାରି ରହିଛି। ଆଶା କରୁଛୁ ଫିଲ୍ମଟି ଏଥର ଓସ୍କାର ଜିତୁ ବୋଲି ଆଲିଆ ଏବଂ ରଣବୀର ନିଜ ପ୍ରତିକ୍ରିୟାରେ କହିଛନ୍ତି। ଫିଲ୍ମରେ ରଣବୀର ମୁମ୍ବାଇର ଏକ ବସ୍ତିର ଜଣେ ରାପର୍‌ ଭୂମିକା ନିଭାଇଛନ୍ତି। ସେ ଷ୍ଟାର ହେବାକୁ ସ୍ବପ୍ନ ଦେଖୁଛନ୍ତି। ବାରମ୍ବାର ବିଫଳତାର ସ୍ବାଦ ଚାଖିବା ପରେ ସେ କେମିତି ପ୍ରସିଦ୍ଧ ହୋଇଯାଉଛନ୍ତି ଏହି ଫିଲ୍ମରେ ତା’ର କାହାଣୀ ରହିଛି। ଏହାର କାହାଣୀ ଡିଭାଇନ ଏବଂ ନାଏଜୀ ନାମକ ୨ଜଣ ରାପର୍‌ଙ୍କ ଜୀବନ ଉପରେ ଆଧାରିତ। ଏହି ଫିଲ୍ମର ଅନ୍ୟତମ ପ୍ରଯୋଜକ ଫରହାନ ଅଖତାର ଏହି ବିଷୟରେ ପ୍ରଥମେ ଘୋଷଣା କରିଥିଲେ। ସେ ଏହି ଫିଲ୍ମର ଲୋକପ୍ରିୟ ସଂଳାପ ଅପ୍‌ନା ଟାଇମ ଆଏଗାର ହ୍ୟାଶ ଟ୍ୟାଗ ବ୍ୟବହାର କରିଛନ୍ତି। ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଫେବୃଆରୀ ମାସରେ ଏହି ଫିଲ୍ମ ବର୍ଲିନ ଚଳିଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇଥିଲା।

Share