Categories: ଜାତୀୟ

ଫିଲ୍ମ ଗୀତ ମାଧ୍ୟମରେ ନୀତିଶଙ୍କ ଉପରେ ବର୍ଷିଲେ ଲାଲୁ

ରାଞ୍ଚି, ୧୩।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ବିଭିନ୍ନ ରାଜନୈତିକ ଦଳର ନଜର ଆଗାମୀ ରାଜ୍ୟ ବିଧାନସଭା ନିର୍ବାଚନ ଉପରେ ରହିଛି। ଚଳିତବର୍ଷ ବିହାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ରାଜ୍ୟର ଦୁଇ ବିରୋଧୀ ଦଳ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ଏବଂ ଜନତା ଦଳ ୟୁନାଇଟେଡ୍‌(ଜେଡିୟୁ) ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି। ଚାରା ଘୋଟଲା ମାମଲାରେ ରାଞ୍ଚିରେ ଜେଲ୍‌ ଦଣ୍ଡାଦେଶ ଭୋଗୁଥିବା ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ଏକ ପୁରୁଣା ଫିଲ୍ମ ଗୀତ ମାଧ୍ୟମରେ ନୀତିଶଙ୍କ ଉପରେ ବର୍ଷିଛନ୍ତି। ବିହାରର ଆରଏସଏସ ଅଫିସରେ ନୀତିଶ କୁମାର ଗତ ମଙ୍ଗଳବାର ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପ୍ରତିମାରେ ମାଲ୍ୟାର୍ପଣ କରୁଥିବା ବେଳର ଫଟୋ ସହ ୧୯୯୩ରେ ରିଲିଜ୍‌ ହୋଇଥିବା ବଲିଉଡ୍‌ ଫିଲ୍ମ ‘ତେରି କାହାନୀ ୟାଦ୍‌ ଆୟି’ର ତେରେ ଦର୍‌ ପର୍‌ ସନମ୍‌ ଚଲେ ଆୟେ..ଗୀତଟି ଲେଖି ଟୁଇଟରରେ ଶେୟାର କରିଛନ୍ତି ଲାଲୁ। ସୂଚନାଯୋଗ୍ୟ, ଜେଡିୟୁ ଏବଂ ଭାଜପା ଦିଲ୍ଲୀରେ ଏକାଠି ନିର୍ବାଚନ ଲଢିଥିଲେ। ନୀତିଶ ମଧ୍ୟ ଉଭୟ ଦଳ ପକ୍ଷରୁ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ। କିନ୍ତୁ ଦିଲ୍ଲୀରେ ଦଳର ଶୋଚନୀୟ ପରାଜୟ ଘଟିଥିଲା।

Share