ଫିଲ୍ମ ‘ପଙ୍ଗା’କୁ ନିଜ ମା’ଙ୍କୁ ସମର୍ପିତ କଲେ କଙ୍ଗନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାନାଓ୍ବତଙ୍କ ଅଭିନୀତ ଫିଲ୍ମ ‘ପଙ୍ଗା’ର ଟ୍ରେଲର୍‌ ନିକଟରେ ରିଲିଜ୍‌ ହୋଇଛି। ଏହାକୁ ଦର୍ଶକେ ଖୁବ୍‌ ପସନ୍ଦ କରିଥିବା ବେଳେ ଏଥିରେ କଙ୍ଗନା ଜଣେ ଅବସରପ୍ରାପ୍ତ କବାଡ଼ି ଖେଳାଳି ତଥା ମା’ ଭୂମିକାରେ ନଜର ଆସିବେ। ନିକଟରେ ଏହାକୁ ନେଇ କଙ୍ଗନା କହିଛନ୍ତି ଜଣେ ମା’ର ହୃଦୟକୁ ବୁଝିବାକୁ ହେଲେ ସନ୍ତାନ ହେବା ଯଥେଷ୍ଟ। ସେଥିପାଇଁ ସେ ତାଙ୍କର ଏହି ଫିଲ୍ମକୁ ମା’ ଆଶା ରାନାଓ୍ବତଙ୍କୁ ସମର୍ପଣ କରିଛନ୍ତି। ଏସବୁ କଥା କଙ୍ଗନା ଟୁଇଟ୍‌ କରି ଜଣାଇଛନ୍ତି। ତାଙ୍କ ଭଉଣୀ ରଙ୍ଗୋଲି ଯେତେବେଳେ ତାଙ୍କୁ ମା’ ଭୂମିକାକୁ ନେଇ ପ୍ରଶ୍ନ କରିଥିଲେ ସେତେବେଳେ କଙ୍ଗନା କହିଥିଲେ ମା’ର ମନକଥା ବୁଝିବାକୁ ମା’ ହେବା ଜରୁରୀ ନୁହେଁ ବରଂ ଜଣେ ସନ୍ତାନ ହେବା ଯଥେଷ୍ଟ ବୋଲି ସେ ଉତ୍ତର ଦେଇଥିବା ରଙ୍ଗୋଲି ଟୁଇଟରରେ ଉଲ୍ଲେଖ କରିଛନ୍ତି। ଅଶ୍ୱିନୀ ଅୟର ତିଓ୍ବାରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ପଙ୍ଗା’ ଆସନ୍ତା ବର୍ଷ ଜାନୁୟାରୀ ୨୪ରେ ରିଲିଜ୍‌ ହେବାର ଯୋଜନା ରହିଛି।

Share