ଫିଲ୍ମ ପାଇଁ ଅଫର ପ୍ରେରଣାଦାୟୀ: ତବୁ

ମୁମ୍ବାଇ: ଫିଲ୍ମ ପାଇଁ ଅଫର ମିଳିବା ପ୍ରେରଣାଦାୟକ ବୋଲି ବଲିଉଡ୍‌ ଅଭିନେତ୍ରୀ ତବୁ ପ୍ରକାଶ କରିଛନ୍ତି। ସେ ଅଧିକ ଆଶା କରୁ ନ ଥିଲେ ମଧ୍ୟ ବର୍ତ୍ତମାନ ଯେଉଁ କାର୍ଯ୍ୟ ମିଳିଛି ସେଥିରେ ସେ ଖୁସି ଥିବା କହିଛନ୍ତି। ଭବିଷ୍ୟତ ପାଇଁ ତାଙ୍କର କୌଣସି ଯୋଜନା ନାହିଁ। ବର୍ତ୍ତମାନ କାର୍ଯ୍ୟରେ ସେ ସନ୍ତୁଷ୍ଟ। ଏହା ହିଁ ତାଙ୍କୁ ଉତ୍ସାହିତ କରେ ବୋଲି ସେ କହିଛନ୍ତି।
ଫିଲ୍ମ ପାଇଁ କୌଣସି ଅଫର ମିଳିଲେ ଉତ୍ସାହିତ ହେବା ସ୍ବାଭାବିକ କଥା। ୪୭ ବର୍ଷୀୟା ଏହି ଅଭିନେତ୍ରୀଙ୍କୁ ‘ଜଓ୍ବାନି ଜାନେମନ୍‌’ରେ ଦେଖିବାକୁ ମିଳିବ। ହାସ୍ୟରସାତ୍ମକ ଏହି ଫିଲ୍ମରେ ତବୁଙ୍କ ସହ ଅଭିନୟ କରିଛନ୍ତି ସୈଫ ଅଲି ଖାନ୍‌। ଏଥିରେ ଅଭିନେତ୍ରୀ ପୂଜା ବେଦୀଙ୍କ କନ୍ୟା ଆଲାଇଆ ଏଫ୍‌. ପ୍ରଥମକରି ଅଭିନୟ କରୁଥିବାବେଳେ ଏହାର ନିର୍ଦ୍ଦେଶନା ଦେଉଛନ୍ତି ନୀତିନ କାକ୍କର। ଏହାର ସହ-ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ସୈଫ, ଜ୍ୟାକି ଭଗନାନି ଏବଂ ଜୟ ଶଓ୍ବେକ୍ରମାନି।
ତବୁ ପ୍ରଥମକରି ସାଗର ସରଦେଶାଇଙ୍କ ୧୯୮୨ ଫିଲ୍ମ ‘ବଜାର’ରେ ଅଭିନୟ କରିଥିଲେ। କିନ୍ତୁ ଦେବ ଆନନ୍ଦଙ୍କ ସ୍କୁଲପଢ଼ୁଆ ଝିଅ ଚରିତ୍ରରେ ‘ହମ୍‌ ନଉଜଓ୍ବାନ’ରେ ଅଭିନୟ କରିବାପରେ ସେ ଦର୍ଶକଙ୍କ ନଜରକୁ ଆସିଥିଲେ। ୧୯୯୪ରେ ରିଷି କପୁରଙ୍କ ସହ ‘ପେହେଲା ପେହେଲା ପ୍ୟାର’ରେ ଅଭିନୟ କରିବା ପରେ ବଲିଉଡ୍‌ ଅଭିନେତ୍ରୀର ମାନ୍ୟତା ପାଇଥିଲେ।

Share