ଫିଲ୍ମ ‘ପାନିପତ୍‌’ ଟ୍ରେଲର୍‌: ନାୟକ ନୁହେଁ, ଦର୍ଶକଙ୍କ ହୃଦୟ ଜିତିଲେ ଖଳନାୟକ

ନିର୍ଦ୍ଦେଶକ ଆଶୁତୋଷ ଗ୍ବାରିକରଙ୍କ ଆଗାମୀ ଫିଲ୍ମ ‘ପାନିପତ୍‌’ର ଟ୍ରେଲର ଇତିମଧ୍ୟରେ ରିଲିଜ୍‌ ହୋଇଯାଇଛି। ଆଫଗାନ ଓ ମରାଠା ଯୋଦ୍ଧାଙ୍କ ମଧ୍ୟରେ ହୋଇଥିବା ତୃତୀୟ ପାନିପତ୍‌ ଯୁଦ୍ଧକୁ କେନ୍ଦ୍ର କରି ନିର୍ମିତ ହୋଇଥିବା ଏହି ଫିଲ୍ମକୁ ନେଇ ଏବେ ବଲିଉଡରେ ବେଶ୍‌ ଚର୍ଚ୍ଚା ହେଉଛି। ଫିଲ୍ମର ଟ୍ରେଲର ରିଲିଜ୍‌ ହେବା ପରେ ଦର୍ଶକଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଫିଲ୍ମରେ ମୁଖ୍ୟ ଚରିତ୍ରରେ ଥିବା ଅଭିନେତା ଅର୍ଜୁନ କପୁରଙ୍କ ଅଭିନୟକୁ ଦର୍ଶକ ଟ୍ରୋଲ କରିଥିବାବେଳେ ଖଳନାୟକ ଭୂମିକାରେ ଥିବା ସଞ୍ଜୟ ଦତ୍ତ ସମସ୍ତଙ୍କ ହୃଦୟ ଜିତିଛନ୍ତି। ଫିଲ୍ମରେ ଜବରଦସ୍ତ ଆକ୍ସନ ରହିଛି। କେହି କେହି ଫିଲ୍ମ ସଞ୍ଜୟ ଲୀଳା ଭଂଶାଲୀଙ୍କ ‘ବାଜିରାଓ ମସ୍ତାନୀ’ ସହ ମଧ୍ୟ ତୁଳନା କରୁଛନ୍ତି। ଭିଜନ ୱାର୍ଲଡ ଫିଲ୍ମସର ମାଲିକ ରୋହିତ ଶୋଲତକର ଏହି ଫିଲ୍ମର ପ୍ରଯୋଜନା କରୁଛନ୍ତି। ଏହି ଫିଲ୍ମ ଲାଗି ଐତିହାସିକ ପାଣ୍ଡୁରଙ୍ଗ ବଲକୱାଡେ ରିସର୍ଚ୍ଚ ୱାର୍କ କରିଥିବା ବେଳେ ସେ ସମୟର ପୋଷାକ, ଅସ୍ତ୍ରଶସ୍ତ୍ର, ପଶୁ ଓ ଲୋକଙ୍କ କଷ୍ଟ୍ୟୁମ ଡିଜାଇନ କରାଯାଇଛି। ଆଫଗାନ ସୈନିକମାନେ ସେତେବେଳେ ‘ଜମ୍ବୁରେକ’ ନାମକ ଏକ ଲମ୍ବା ପିସ୍ତଲ ବ୍ୟବହାର କରୁଥିଲେ, ଯାହାକୁ ଫିଲ୍ମ ଲାଗି ସ୍ବତନ୍ତ୍ର ଭାବେ ତିଆରି କରାଯାଇଛି। ଫିଲ୍ମଟି ଡିସେମ୍ବର ୬ରେ ରିଲିଜ୍‌ ହେବ।

Share