ଫିଲ୍ମ ଲାଇନ୍‌ ଛାଡ଼ି ଚାଷକାର୍ଯ୍ୟରେ ବ୍ୟସ୍ତ ଜୁହି

ସୁନ୍ଦର ଚେହେରା ଏବଂ ହସରେ କୋଟି କୋଟି ଦର୍ଶକଙ୍କ ମନ କିଣି ନେଇଥିବା ଅଭିନେତ୍ରୀ ଜୁହି ଚାଓ୍ବାଲା ଏବେ ଫିଲ୍ମ କରୁନାହାନ୍ତି ସତ ମାତ୍ର ସୋସିଆଲ ମିଡିିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ଜୁହି ଲାଇମ୍‌ଲାଇଟ୍‌ରୁ ଦୂରେଇ ଯାଇ ଚାଷକାମରେ ବ୍ୟସ୍ତ ରହୁଛନ୍ତି। ଏହାର କିଛି ଫଟୋ ସୋସିଆଲ ମିଡିଆରେ ଜୁହି ପୋଷ୍ଟ କରିଛନ୍ତି। ଏଥିରେ ଜୁହି କ୍ୟାପଶନ ଲେଖିଛନ୍ତି, ମୋ’ ପିତା ମହାରାଷ୍ଟ୍ରର ଓ୍ବାଡାଠାରେ ପ୍ରାୟ ୨୦ ଏକର ଜମି କିଣିଛନ୍ତି। ଏହି ସମୟରେ ମୋତେ କ୍ଷେତ ବିଷୟରେ କୌଣସି ଧାରଣା ନ ଥିଲା। ସେତେବେଳେ ମୁଁ ଫିଲ୍ମରେ ବ୍ୟସ୍ତ ରହୁଥିଲି। କିନ୍ତୁ ପିତାଙ୍କ ମୃତ୍ୟୁ ପରେ ମୋତେ ସବୁକିଛି ବୁଝିବାକୁ ପଡୁଛି।

ଜୁହି କୁହନ୍ତି, ତାଙ୍କ ଫାର୍ମହାଉସରେ ୨୦୦ ଆମ୍ବ ଗଛ ରହିଛି। ଏହା ବ୍ୟତୀତ ଫାର୍ମରେ ଅମୃତଭଣ୍ଡା, ସପେଟା, ଡାଳିମ୍ବ ପ୍ରଭୃତି ଗଛ ରହିଛି। ଗତ ୮ ମାସ ଧରି ଜୁହି ଫାର୍ମର ଦେଖାଶୁଣା କରୁଛନ୍ତି। ତାଙ୍କ କ୍ଷେତରେ ଲଗା ଯାଇଥିବା ଫଳଗଛ ଏବଂ ପନିପରିବାରେ କୌଣସି କେମିକାଲ ବ୍ୟବହାର କରାଯାଉନାହିଁ। ଜୈବିକ ଖତ ବ୍ୟବହାର କରାଯାଉଛି। କ୍ଷେତରୁ ଯେଉଁ ପନିପରିବା ଉତ୍ପାଦନ ହେଉଛି ସେଗୁଡ଼ିକ ଜୁହି ସ୍ବାମୀଙ୍କ ରେଷ୍ଟୁରାଣ୍ଟକୁ ପଠାଯାଉଛି।

ଜୁହି ଶାହରୁଖ ଖାନ୍‌, ଅମୀର ଖାନ୍‌, ସନି ଦେଓଲ, ଅନୀଲ କପୁର, ଋଷି କପୁରଙ୍କ ପରି ବଡ଼ ବଡ଼ ଷ୍ଟାରଙ୍କ ସହ ଅଭିନୟ କରିସାରିଛନ୍ତି। କିନ୍ତୁ ଏବେ ଫିଲ୍ମ ଲାଇନ୍‌ରୁ ଦୂରେଇ ଯାଇ କ୍ଷେତବାଡ଼ି କଥା ବୁଝୁଛନ୍ତି।

Share