Categories: ଖେଳ

ଫୁଟ୍‌ବଲ ଖେଳିବେ ସିମେନ୍ୟା

ଜୋହାନ୍ସବର୍ଗ ୭ା୯ (ଏଏଫ୍‌ପି)-ଦୁଇ ଥର ଅଲିମ୍ପିକ ୮୦୦ ମିଟର ସ୍ବର୍ଣ୍ଣ ବିଜୟିନୀ କାଷ୍ଟର ସିମେନ୍ୟା ଦକ୍ଷିଣ ଆଫ୍ରିକାର ଏକ ମହିଳା ଫୁଟ୍‌ବଲ ଟିମ୍‌ରେ ଯୋଗ ଦେଇଛନ୍ତି। ଆଥଲେଟିକ୍ସ ଗଭର୍ନିଂବଡ଼ି ଆଇଏଏଏଫ୍‌ ହାର ନିୟମରେ ପରିବର୍ତ୍ତନ ପରେ ୨୮ ବର୍ଷୀୟା ସିମେନ୍ୟା ଚାହିଥିଲେ ଶରୀରରୁ ଟେଷ୍ଟୋଷ୍ଟେରନର ମାତ୍ରା ହ୍ରାସ କରି ପୁନର୍ବାର ଆଥଲେଟିକ୍ସରେ ଭାଗ ନେଇ ପାରିଥାନ୍ତେ। ମାତ୍ର ସେ ତାହା କରିନାହାନ୍ତି। ଫଳତଃ ଦୋହାଠାରେ ସେ ତାଙ୍କ ୮୦୦ ମିଟର ବିଶ୍ୱ ଚାମ୍ପିୟନଶିପ୍‌ ଟାଇଟଲ ବଜାୟ ରଖିପାରିବେ ନାହିଁ। ବର୍ତ୍ତମାନ ସେ ଗଟେଙ୍ଗ୍‌ସ୍ଥିତ ମହିଳା ଫୁଟ୍‌ବଲ କ୍ଲବ ଜେଭିଡବ୍ଲ୍ୟୁ ସହିତ ଟ୍ରେନିଂ ନେଉଛନ୍ତି। ଦକ୍ଷିଣ ଆଫ୍ରିକା ମହିଳା ଫୁଟ୍‌ବଲ ଦଳର ବର୍ତ୍ତମାନ ଅଧିନାୟିକା ଜେନିନ୍‌ ଭାନ୍‌ ଓ୍ବିକ୍‌ ୨୦୧୩ରେ ଜେଭିଡବ୍ଲ୍ୟୁ ଫୁଟ୍‌ବଲ କ୍ଲବ ଗଠନ କରିଛନ୍ତି। ପ୍ରତିଭା ସମ୍ପନ୍ନ ମହିଳା ଫୁଟବଲ ଖେଳାଳିଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ବିକଶିତ କରିବା ସହ ଦକ୍ଷତା ପ୍ରତିପାଦନର ସୁଯୋଗ ପ୍ରଦାନ ହେଉଛି କ୍ଲବର ମୁଖ୍ୟ ଉଦ୍ଦେଶ୍ୟ। ଗଟେଙ୍ଗ ପ୍ରଦେଶରେ ହେଉଥିବା ଲିଗ୍‌ରେ ଜେଭିଡବ୍ଲ୍ୟୁକୁ ଅନ୍ୟତମ ଶ୍ରେଷ୍ଠ ଫୁଟବଲ ଟିମ୍‌ ବିବେଚନା କରାଯାଉଛି।

Share