ଫୁଲଚାଷକୁୁ କରୋନା ମାଡ଼

ଲୋଇସିଂହା, ୧୬।୪(ଡି.ଏନ.ଏ.) ବଗିଚାରେ ନାନାଦି ଫୁଲର ସମ୍ଭାର। ହେଲେ ସବୁ ଫୁଟି ମଉଳି ଯାଉଛି। ଲକ୍‌ଡାଉନ କଟକଣା ଯୋଗୁ ଫୁଲଚାଷ ଆଜି ସଙ୍କଟରେ ପଡିଛି। ଏଥିରେ ପ୍ରଭାବିତ ହୋଇଛନ୍ତି ବଲାଙ୍ଗୀର ଜିଲା ଆଗଲପୁର ଅଞ୍ଚଳର ଫୁଲଚାଷୀ ସୁଶୀଲ ବିଶ୍ୱାଳ। ସୁଶୀଲ(୩୫)ଙ୍କ ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏଟ। ପାଠ ସରିବା ପରେ ରୋଜଗାର ପାଇଁ ଆନ୍ଧ୍ରପ୍ରଦେଶକୁ ଯାଇ ଏକ କମ୍ପାନୀରେ କାମ କରୁଥିଲେ। ହେଲେ ସେଠାରେ ମନ ଲାଗିଲା ନାହିଁ । ୨୦୧୩ରେ ଗାଁକୁ ଫେରି ନିଜ ପୈତୃକ ୨ ଏକର ଜମିରେ ଚାଷ କାମ ଆରମ୍ଭ କରିଥିଲେ। ସେଥିରୁ ଅଧ ଏକର ମାଳଜମି। ସେହି ଜମିରେ ପ୍ରଥମେ ସେ ଗେଣ୍ଡୁଫୁଲ ଚାଷ କରିଥିଲେ। ସୁଶୀଲଙ୍କ ଫୁଲଚାଷ ଦେଖି ସ୍ଥାନୀୟ ଉଦ୍ୟାନ ବିଭାଗ ପକ୍ଷରୁ ୨୦୧୪ରେ ତାଙ୍କୁ ଗୋଲାପ ଫୁଲଚାରା ଯୋଗାଇ ଦିଆଯାଇଥିଲା। ଏହାପରେ ଫୁଲଚାଷ ପାଇଁ ଖୁବ୍‌ ଉତ୍ସାହିତ ହୋଇଥିଲେ ସୁଶୀଲ। ସୁଶୀଲଙ୍କ ସହିତ ୨ ମହିଳା ଓ ଜଣେ ପୁରୁଷ ଶ୍ରମିକ କାମ କରୁଛନ୍ତି । ଜାନୁୟାରୀରୁ ଜୁନ ପର୍ଯ୍ୟନ୍ତ ୬ ମାସ ତାଙ୍କର ଭଲ ବ୍ୟବସାୟ ହୁଏ। ବାର୍ଷିକ ସେ ୪୦ ରୁ ୫୦ ହଜାର ଟଙ୍କା ରୋଜଗାର କରନ୍ତି ବୋଲି ସୁଶୀଲ କୁହନ୍ତି।
ସୁଶୀଲଙ୍କ ସୂଚନା ମୁତାବକ ଏବେ ତାଙ୍କ ବଗିଚାରେ ୨ହଜାର ଗୋଲାପ, ୨ହଜାର ଗେଣ୍ଡୁ, ୧ ହଜାର ବାସନ୍ତୀ, ୫ଶହ ଚେରି ଓ ୫ଶହ ଚିନା ଚାରା ରୋପଣ କରିଛନ୍ତି। ଚଳିତବର୍ଷ କଲିକତାରୁ ଗେଣ୍ଡୁ ଚାରା ଆଣି ସେ ରୋପଣ କରିଥିଲେ। ଚାରା, ସାର, କୀଟନାଶକ ବାବଦକୁ ୧୨ରୁ ୧୫ ହଜାର ଖର୍ଚ୍ଚ ହୋଇଛି। ଅମଳ ଗେଣ୍ଡୁଫୁଲ ମାର୍ଚ୍ଚ ୨୦ରୁ ବିକ୍ରି ହେବ ବୋଲି ଆଶା ରଖିଥିଲେ ସୁଶୀଲ। ଲକ୍‌ଡାଉନ ଯୋଗୁ ତାଙ୍କର ସବୁ ଆଶା ଯେମିତି ମଉଳି ଯାଉଥିଲା। ମନ୍ଦିର ଖୋଲା ରହୁ ନ ଥିବାରୁ ଫୁଲର ଚାହିଦା କମିଛି। ଏଣେ ବିବାହ, ବ୍ରତ ଓ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟ ବନ୍ଦ ରହିଛି। ଏପରି ପରିସ୍ଥିତିରେ ବଲାଙ୍ଗୀରର ଫୁଲ ଦୋକାନୀ କିମ୍ବା ସ୍ଥାନୀୟ ଡେକୋରେଟରମାନେ ଫୁଲ ନେଉନାହାନ୍ତି। ବଗିଚାରେ ଫୁଟିଥିବା ଫୁଲ ବିକ୍ରି ହୋଇ ନ ପାରି ମଉଳିଯାଉଛି । ଏପରି କ୍ଷତି ଯୋଗୁ ଫୁଲଚାଷୀମାନଙ୍କୁ ସରକାର ସହାୟତା ଯୋଗାଇ ଦେବା ପାଇଁ ସୁଶୀଲ ଦାବି କରିଛନ୍ତି।

Share