ଫୁଲଝରଠାରେ ଖୋଲିଲା ରାଜ୍ୟର ପ୍ରଥମ ମହିଳା ଶାଖା ଡାକଘର

ଲହୁଣୀପଡା, ୩।୧୨ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ଲହୁଣୀପଡା ବ୍ଳକ ଅନ୍ତର୍ଗତ ଫୁଲଝରଠାରେ ଡାକ ବିଭାଗ ପକ୍ଷରୁ ଓଡ଼ିଶାର ପ୍ରଥମ ଥର ପାଇଁ ଏକ ମହିଳା ଶାଖା ଡାକଘର ଆନୁଷ୍ଠାନିକ ଭାବେ ଶନିବାର ଉଦ୍‌ଘାଟିତ ହୋଇଛି। ଏହାର ଉଦ୍‌ଘାଟନୀ ଉତ୍ସବରେ ରାଉରକେଲା ଡାକ ମଣ୍ଡଳର ଉପଅଧୀକ୍ଷକ ଯମେଶ୍ୱର ଗଡନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଏହି ଉଦ୍‌ଘାଟନୀ ଉତ୍ସବରେ ବଣାଇ ଉପଖଣ୍ଡ ଡାକ ନିରୀକ୍ଷକ ଶଶିରଞ୍ଜନ, ରାଉରକେଲା ଡାକ ମଣ୍ଡଳ କାର୍ଯ୍ୟାଳୟ ସୁପରଭାଇଜର ତରଣୀସେନ ଭୁସାଗର, ଡାକ ଓଭରସିୟର ମିତ୍ରଭାନୁ ସାହୁ, ଶରଧାପୁର ଶାଖା ଡାକପାଳ ଯୁଗଳ କିଶୋର ମାହାନ୍ତ ଯୋଗଦେଇଥିଲେ। ପ୍ରଥମ କରି ଫୁଲଝର ମହିଳା ଡାକ ଘରର ଶାଖା ଡାକପାଳ ପଲ୍ଲବି ମିଶ୍ର, ଅତିରିକ୍ତ ଡାକପାଳ ବାସନ୍ତି ପାତ୍ର, ଡାଳ ବିତରକ ବିଭାଗର ଅତିରିକ୍ତ ଡାକପାଳ ରୋଜାଲିନ ମାହାନ୍ତି ଉପସ୍ଥିତ ଥିଲେ। ଓଡ଼ିଶା ଡାକ ବିଭାଗ ପକ୍ଷରୁ ଭୁବନେଶ୍ୱର, ସମ୍ବଲପୁର, ବ୍ରହ୍ମପୁରକୁ ତିନୋଟି ରେଜିଓନରେ ବିଭକ୍ତ କରାଯାଇଥିଲେ ମଧ୍ୟ ସମ୍ବଲପୁର ରେଜିଓନ ରାଉରକେଲା ଡାକମଣ୍ଡଳ ପକ୍ଷରୁ ଲହୁଣୀପଡା ବ୍ଲକର ଫୁଲଝରଠାରେ ଓଡିଶାରେ ପ୍ରଥମ ଥର ପାଇଁ ଏହି ମହିଳା ଶାଖା ଡାକଘର ଉଦ୍‌ଘାଟିତ ହୋଇଛି। ଯାହାଦ୍ୱାରା ମହିଳାମାନେ ଅଧିକ ସେବା ପାଇପାରିବେ। ଟଙ୍କା ଦେଣନେଣ, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌, ଇନ୍ଦିରା ଆବାସ ଯୋଜନାର ଟଙ୍କା ପାଇଁ ଫୁଲଝରଠାରୁ ଖୁଣ୍ଟଗାଁରେ ପ୍ରାୟ ୧୭ରୁ ୧୮ କି.ମି ଆସିବାକୁ ପଡୁଥିଲା। ଯଦି ଯେଉଁ ଦିନ ଯାନ୍ତ୍ରିକ ତ୍ରୁଟି ରହୁଥିଲା ସେଥିପାଇଁ ଦିନ ତମାମ ଅପେକ୍ଷା କରିବାକୁ ପଡୁଥିଲା । ଯାହାକି ଏବେ ସେ ସମସ୍ୟା ଦେଖାଦେବ ନାହିଁ ବୋଲି ଯୋଗଦେଇଥିବା ଅତିଥିମାନେ ସୂଚନା ଦେଇଥିଲେ। ଫୁଲଝର ଅଞ୍ଚଳରେ ଡାକ ବିଭାଗ ପକ୍ଷରୁ ମହିଳା ଶାଖା ଖୋଲା ଯାଇଥିବାରୁ ଲୋକମାନେ ଖୁସିଥିବା ଦେଖିବାକୁ ମିଳିଛି।