ଫୁଲବାଣୀରେ ଏନ୍‌ସିପିସିଆର ଟିମ୍‌ର ଜନଶୁଣାଣି

ଫୁଲବାଣୀ ଅଫିସ, ୨୨ା୧୧- ଫୁଲବାଣୀ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନ୍‌ସିପିସିଆର) ଟିମ ପକ୍ଷରୁ ଜନଶୁଣାଣି ଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଛି ା ଏଥିରେ କେନ୍ଦ୍ର ଶିଶୁ ସୁରକ୍ଷା ଆୟୋଗ ସଦସ୍ୟ ଡା.ଆର୍‌ଜି ଆନନ୍ଦ, ରାଜ୍ୟ ଶିଶୁ ସୁରକ୍ଷା କମିଶନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ, ସଦସ୍ୟା ହରିହର ନାୟକ, ମନ୍ଦାକିନି କର, ଦିବ୍ୟ ଶାସ୍ବତି, ଜିଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ, ଜିଲାପାଳ ଡା.ବୃନ୍ଦା ଡି, ଏସ୍‌ପି ପ୍ରତୀକ ଗୀତା ସିଂ, ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ବିଶ୍ୱନାଥ ବାରିକ ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କରିଥିଲେ ା ଶିବିରରେ ମୋଟ ୮୦୦ରୁ ଊର୍ଦ୍ଧ୍ୱ ମାମଲା ପଞ୍ଜୀକୃତ ହୋଇଥିଲା ା ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟ ଆନନ୍ଦ ମାମଲାର ଶୁଣାଣି କରି ତୁରନ୍ତ କେତେଟିର ଫଏସଲା କରିବା ସହ ଅନ୍ୟଗୁଡିକର ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ା ଏହି ଅବସରରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ୭ ଦିବ୍ୟାଙ୍ଗଙ୍କୁ ୫୦୦ ଟଙ୍କା ଲେଖାଏଁ ପେନ୍‌ସନ ରାଶିର ଚେକ୍‌ ପ୍ରଦାନ କରାଯାଇଥିଲା ା ସେହିପରି ୭ ଜଣଙ୍କୁ ୨୫୦୦ ଲେଖାଏ ଟଙ୍କା ବାଣୀଶ୍ରୀ ସ୍କଲାରସିପ୍‌ ଓ ଜଣେ ଦିବ୍ୟାଙ୍ଗଙ୍କୁ ହୁଇଲ ଚେୟାର ପ୍ରଦାନ କରାଯାଇଥିଲା ା କିଛି ପିଲାଙ୍କୁ ଫିଜିଓ ଥେରାପି, ପ୍ଲାଷ୍ଟିକ ସର୍ଜରୀ, ସ୍ପିଚ୍‌ ଥେରାପି କରାଇବା ପାଇଁ ଭିନ୍ନକ୍ଷମ କେନ୍ଦ୍ର ଥଇଥାନ ଅଧିକାରୀ ଅକ୍ଷୟ କୁମାର ପଣ୍ଡାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଶିଶୁଙ୍କ ଅଧିକାର ସୁନିଶ୍ଚିତ କରିବା ଉଦ୍ଦେଶ୍ୟ ନେଇ ଏହି ଶିବିର ଆୟୋଜନ କରାଯାଇଥିଲା। ଶିଶୁ ଶ୍ରମିକ, ଶିଶୁ ଚାଲାଣ, ଏସିଡ୍‌ ଦ୍ୱାରା ଆକ୍ରମଣ ହୋଇଥିବା ଶିଶୁ, ଭିକ୍ଷାକୁ ପେସା କରିଥିବା, ଶାରିରୀକ ଅଥବା ଯୌନ ନିର୍ଯାତିତ, ଶିଶୁ ଯତ୍ନ ଅନୁଷ୍ଠାନରେ ଅତ୍ୟାଚାରର ଶିକାର ହେଉଥିବା, ଅପହୃତ, ଶିକ୍ଷା ଅଧିକାରରୁ ବଞ୍ଚିତ, କୁପୋଷଣର ଶିକାର ହେଉଥିବା ଶିଶୁ ଏବଂ ଅନ୍ୟାନ୍ୟ ବିଷୟ ଯେଉଁଥିରେ କି ଶିଶୁମାନଙ୍କର ଅଧିକାର କ୍ଷୂର୍ଣ୍ଣ ହୋଇଛି ସେସବୁ ମାମଲା ଉପରେ ଶୁଣାଣି ହୋଇଥିଲା ା

Share