ଫୁଲବାଣୀରେ ୫ ଡିଗ୍ରୀ, ଦାରିଙ୍ଗବାଡ଼ିରେ ତୁଷାରପାତ

ଫୁଲବାଣୀ ଅଫିସ/ ଦାରିଙ୍ଗବାଡି, ୧୩ା୧(ଡି.ଏନ୍‌.ଏ.)-କନ୍ଧମାଳ ଜିଲାରେ ହାଡଭଙ୍ଗା ଶୀତ। ଶନିବାର ରାତିରୁ ରବିବାର ସକାଳ ସୁଦ୍ଧା ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ଏବଂ ଦାରିଙ୍ଗିବାଡିରେ ୭.୨ ଡିଗ୍ରୀ ରେକର୍ଡ କରାଯାଇଛି। ଆଭ୍ୟନ୍ତରୀଣ ତୁମୁଡିବନ୍ଧ, କୋଟଗଡ, ରାଇକିଆ, ଚକାପାଦ ଆଦି ଅଞ୍ଚଳରେ ୫ ଡିଗ୍ରୀ ପାଖାପାଖି ତାପମାତ୍ର ରହିଛି ା କୋହଲା ପବନ ଶୀତକୁ ଦ୍ୱିଗୁଣିତ କରୁଛି। ଆଗାମୀ ଦିନରେ ତାପମାତ୍ରା ଆହୁରି ତଳକୁ ଖସିବ ବୋଲି ଅନୁମାନ କରାଯାଉଛି ା ଶୀତ ପୁଣି ଫେରିଥିବାରୁ ଲୋକେ କାମଧନ୍ଦାକୁ ଯାଇପାରି ନ ଥିବା ଜଣାପଡିଛି। ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ନିଅଁା ପୋଇଁବା ସହ ଅତି ଆବଶ୍ୟକ ନ ହେଲେ ଘରୁ ପଦାକୁ ବାହାରୁ ନାହାନ୍ତି।
ଦାରିଙ୍ଗବାଡ଼ି ଅଞ୍ଚଳରେ ରବିବାର ପୁଣି ତୁଷାରପାତ ହୋଇଛି। ଦାରିଙ୍ଗବାଡି ସମେତ ଦାସିଂବାଡି, କାଣ୍ଡାପା, ସିମନବାଡି, କିଲାବାଡି, ଲଦପଙ୍କା, ଗ୍ରୀନବାଡି, ଦାସିକେତା, ପ୍ଲିହେରୀ ଆଦି ଅଞ୍ଚଳରେ ତୁଷାରପାତ ହୋଇଥିବା ଜଣାପଡିଛି। ଦାରିଙ୍ଗବାଡିରେ ରାତ୍ରୀଯାପନ କରିଥିବା ପର୍ଯ୍ୟଟକ ଏହାର ମଜା ନେଇଥିଲେ। ଶନିବାର ପାଗ ଶୁଖିଲା ସହ ସକାଳୁ ଘନ କୁହୁଡି ଆଚ୍ଛାଦିତ ହୋଇଥିଲା। ଅପରାହ୍ନଠାରୁ ଶୀତର ପ୍ରକୋପ ବୃଦ୍ଧି ପାଇଛି।

Share