Categories: କନ୍ଧମାଳ

ଫୁଲବାଣୀରେ ୫, ଦାରିଙ୍ଗବାଡ଼ିରେ ୫.୫ ଡିଗ୍ରୀ ତାପମାତ୍ରା

ଫୁଲବାଣୀ ଅଫିସ, ୩୦ା୧୨-କନ୍ଧମାଳ ଜିଲାରେ ଅଥୟ ହେଲାଣି ଶୀତ। ସକାଳଠୁ ରାତି ପର୍ଯ୍ୟନ୍ତ ଶୀତ ପ୍ରକୋପରେ ଲୋକେ ନାହିଁ ନ ଥିବା ଯନ୍ତ୍ରଣା ଭୋଗୁଛନ୍ତି। ଗତ ଦୁଇଦିନ ଧରି ଶୀତ ପ୍ରକୋପ ଏତେ ବଢ଼ିଛି ଯେ, ରାସ୍ତାରେ ଗଲେ ମୁହଁ, ଗୋଡ, ହାତ ପୋଡିଗଲା ଭଳି ଅନୁଭୂତ ହେଉଛି। ଏହି ଦେହଥରା ଶୀତ ଲୋକଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି। ଶନିବାରରୁ ରବିବାର ସକାଳ ଯାଏ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ଏବଂ ଦାରିଙ୍ଗିବାଡିରେ ୫.୫ ଡିଗ୍ରୀ ସେଲସିୟସ ଜିଲା ପାଣିପାଗ ତଥା ଜରୁରୀକାଳିନ ବିଭାଗ ପକ୍ଷରୁ ରେକର୍ଡ କରାଯାଇଛି।
ଗୁରୁବାର ରାତିରେ ଫୁଲବାଣୀରେ ତାପମାତ୍ରା ୧୫ ଡିଗ୍ରୀ ଥିବାବେଳେ ଶୁକ୍ରାବର ରାତିରେ ୧୦.୫ ଡିଗ୍ରୀ ଥିଲା। ହେଲେ ଶନିବାର ହଠାତ ୫ ଡିଗ୍ରୀକୁ ଖସିଆସିଥିଲା। ରାତି ୮ଟାରୁ ସକାଳ ଯାଏ ଘନ କୁହୁଡି ପରିସ୍ଥିତିକୁ ଆହୁରୀ ଜଟିଳ କରୁଛି। ବସ୍‌ଷ୍ଟାଣ୍ଡ, ସହରର ପ୍ରମୁଖ ସ୍ଥାନରେ ଲୋକେ ଥଣ୍ଡାରୁ ରକ୍ଷା ପାଇବାକୁ ନିଅଁା ଜାଳି ବସୁଛନ୍ତି। ଶୀତ ଲହରୀକୁ ଦେଖି ରାଜ୍ୟ ସରକାର ଜିଲା ପ୍ରଶାସନକୁ ସତର୍କ ସୂଚନା ଦେବାସହ ସ୍କୁଲ ଘର ଓ ସାଧାରଣ କୋଠା ରାତିରେ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ବାସହୀନମାନେ ରାତିରେ ଆଶ୍ରୟ ନେଇ ପାରିବେ। ଘନ କୁହୁଡି ଯୋଗୁ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। କନ୍ଧମାଳର ଶୀତ ରାଜ୍ୟରେ ନିଆରା, ତେଣୁ ଏହାର ମଜା ନେବାକୁ ଜିଲାକୁ ପର୍ଯ୍ୟଟକମାନଙ୍କ ସୁଅ ଛୁଟିବାରେ ଲାଗିଛି। ଜିଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଦାରିଙ୍ଗିବାଡି, ରାଇକିଆର ମଣ୍ଡାସରୁ, କୋଟଗଡା ଲୁଦୁ, ଫୁଲବାଣୀର ପୁତୁଡି, ଉର୍ମାଗଡ, କାଟ୍ରାମାଲ, ଖଜୁରିପଡାର ପକଡାଝର ଜଳପ୍ରପାତ ଆଦି ପର୍ଯ୍ୟଟନ ସ୍ଥଳରେ ପର୍ଯ୍ୟଟକଙ୍କ ଭିଡ ଜମୁଛି।
ଦାରିଙ୍ଗବାଡ଼ିରେ ରବିବାର ଶୀତର ପ୍ରକୋପ ବୃଦ୍ଧି ପାଇବା ସହ ତୁଷାରପାତ ହୋଇଛି। ସିମନବାଡି ସମେତ କେତେକ ଅଞ୍ଚଳରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଥିଲା। ପ୍ରଶାସନ ପକ୍ଷରୁ ଦାରିଙ୍ଗବାଡ଼ିରେ କୌଣସି ରାତ୍ର ଆଶ୍ରୟସ୍ଥଳ ନଥିବାରୁ ବିଭିନ୍ନ ସରକାରୀ ଏବଂ ବେସରକାରୀ କାର୍ଯ୍ୟରେ ଦାରିଙ୍ଗବାଡ଼ି ଆସିଥିବା ଲୋକ ବହୁ ହଇରାଣ ହେଉଛନ୍ତି। ତୁଷାରପାତ ଦେଖିବାକୁ ପର୍ଯ୍ୟଟକମାନେ ଭିଡ଼ ଜମିଥିଲା। ବିଳମ୍ବରେ ପହଞ୍ଚତ୍ଥିବା କେତେକ ପର୍ଯ୍ୟଟକ ଦେଖି ନ ପାରି ନିରାଶ ହୋଇଥିଲେ।