ଫୁଲବାଣୀ ପୂର୍ବତନ ବିଧାୟକଙ୍କ ଗାଡ଼ିକୁ ଗୁଳିମାଡ଼

ଫୁଲବାଣୀ ଅଫିସ, ୩୦ା୪- କନ୍ଧମାଳ ଜିଲା ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କ ଏକ ବୋଲେରୋ ଗାଡିକୁ କେହି ଦୁର୍ବୃତ୍ତ ଗୁଳିମାଡ କରିଛନ୍ତି । ଗାଡିରେ କେହି ନ ଥିବା ବେଳେ ଏଭଳି କାଣ୍ଡ ଦୁର୍ବୃତ୍ତ ଜଣକ ଭିଆଇଛନ୍ତି। ପୂର୍ବ ଶତ୍ରୁତା କି ଅନ୍ୟ କୌଣସି କାରଣରୁ କେହି ଏଭଳି ହୋଇଥାଏ ପାରେ ବୋଲି ଅନୁମାନ କରାଯାଉଛି । ଦେବେନ୍ଦ୍ରଙ୍କ ଏତଲା କ୍ରମେ ପୋଲିସ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କୁ ସନ୍ଦେହରେ ପୋଲିସ ଅଟକ ରଖି ପଚରା ଉଚରା କରୁଛି।

ମିଳିଥିବା ସୂଚନା ଅନୁସାରେ, ବୁଧବାର ରାତିରେ ପୂର୍ବତନ ବିଧାୟକ କହଁର ତାଙ୍କ ସମ୍ପର୍କୀୟଙ୍କ ଘରେ ରହିଥିଲେ। ରାତି ପ୍ରାୟ ସାଢ଼େ ୧ଟାରେ ହଠାତ୍‌ ଗୁଳି ଶବ୍ଦ ଶୁଭିଥିଲା। ଭୟରେ ସେ ବାହାରକୁ ବାହାରି ନ ଥିଲେ। ସକାଳେ ଦେଖିଲା ବେଳକୁ ଗାଡିରେ ପାର୍ଶ୍ୱ ଡୋର କାଚ ଭାଙ୍ଗି ଥିଲା। ଗୁଳି ଗୋଟିଏ ପଟରୁ ଯାଇ ଅନ୍ୟ କାଚ ଫଟାଇ ବାହାରକୁ ପଳାଇଥିଲା। ଏ ନେଇ ସେ ଥାନାରେ ଜଣାଇଥିଲେ। ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଥାନାରେ ମାମଲା ନଂ ୫୮/୨୦ ରୁଜୁ କରାଯାଇଥିବା ଥାନାଧିକାରୀ ନରେଶ କୁମାର ସାହୁ ସୁଚନା ଦେଇଛନ୍ତି।

Share