Categories: କନ୍ଧମାଳ

ଫୁଲବାଣୀ ୟୁନାଇଟେଡ୍‌ ବ୍ୟାଙ୍କ ଋଣ ଜାଲିଆତି : ଗିରଫ ଶାଖା ପରିଚାଳିକା ନିଲମ୍ବିତ

ଫୁଲବାଣୀ ଅଫିସ, ୨୬ା୯- ଚାଷୀଙ୍କୁ କିଷାନ କ୍ରେଡିଟ କାର୍ଡ(କେସିସି) ଋଣ ପ୍ରଦାନରେ ଜାଲିଆତି ଘଟଣାରେ ୟୁନାଇଟେଡ୍‌ ବ୍ୟାଙ୍କ ଫୁଲବାଣୀ ଶାଖା ପରିଚାଳିକା ସାଗରିକା ନାୟକ ମଙ୍ଗଳବାର ଜେଲ ଯାଇଛନ୍ତି। ବୁଧବାର ବିଭାଗୀୟ ତଦନ୍ତ କରାଯାଇ ସାଗରିକାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ା ତାଙ୍କ ସ୍ଥାନରେ ଆଉ ଜଣଙ୍କୁ ବ୍ୟାଙ୍କ ଶାଖା ପରିଚାଳକ ଭାବେ ନିଯୁକ୍ତି ଦିଆଯାଇଛି ା ସାଗରିକା ଗିରଫ ହୋଇ ଜେଲଯିବା ପରେ ୨ଦିନ ଧରି ବ୍ୟାଙ୍କର ଉପରିସ୍ଥ ଅଧିକାରୀଙ୍କ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ସମ୍ବଲପୁର ଜୋନ ଆଞ୍ଚଳିକ ମୁଖ୍ୟ ମହାପ୍ରବନ୍ଧକ ଅଭିଯୋଗ ସମ୍ପର୍କରେ ବ୍ୟାଙ୍କ କର୍ମଚାରୀ, ଠକେଇର ଶୀକାର ହୋଇଥିବା କେତେଜଣ ହିତାଧିକାରୀଙ୍କୁ ପଚରାଉଚୁରା କରିଥିଲେ ା ଏହାପରେ ନିଲମ୍ବନ ସମ୍ପର୍କିତ ଚିଠି ସାଗରିକାଙ୍କ ଟେବୁଲ ଉପରେ ରଖିବା ସହ ବ୍ୟାଙ୍କର ସୁପରିଚାଳନା ପାଇଁ ଅନ୍ୟ ଜଣଙ୍କୁ ଶାଖା ପରିଚାଳକ ଦାୟିତ୍ୱ ଦେଇଥିଲେ ା ସୂଚନାଯୋଗ୍ୟ, ବ୍ୟାଙ୍କ ଶାଖା ପରିଚାଳିକା ସାଗରିକା ଟଙ୍କା ନେଇ ଚାଷୀଙ୍କ ଋଣ କରାଉଥିଲେ। ପ୍ରଥମ ପର୍ଯ୍ୟାୟରେ ଋଣ ଟଙ୍କା ଦେବା ପୂର୍ବରୁ ଗ୍ରାହକଙ୍କ ଏଟିଏମ୍‌ ମାଗି ନେଉଥିଲେ। ନିଜେ ଟଙ୍କା ଉଠାଇ ନେଇ ବାକି ଟଙ୍କା ଦିଆଯିବ ବୋଲି ଗ୍ରାହକଙ୍କୁ କହୁଥିଲେ ମଧ୍ୟ ପରେ ଦେଉ ନ ଥିଲେ। ଏ ନେଇ ଅସନ୍ତୁଷ୍ଟ ଚାଷୀମାନେ ଫୁଲବାଣୀ ଆଦର୍ଶ ଥାନାର ଦ୍ୱାରସ୍ଥ ହୋଇଥିଲେ ା ଏହି ଘଟଣାର ତଦନ୍ତ କରି ପୋଲିସ ସାଗରିକା ଏବଂ ତାଙ୍କ ସ୍ବାମୀ ସୁଜିତ ଷଡ଼ଙ୍ଗୀଙ୍କୁ ଗିରଫ କରିଥିଲା ା ଘଟଣାରେ ସଂଶ୍ଳିଷ୍ଟ ଜଣେ ମଧ୍ୟସ୍ଥଙ୍କୁ ପୋଲିସ ମୁଖ୍ୟ ସାକ୍ଷୀ କରିଥିବା ଜଣାପଡିଛି ା