ଫୁଲୁଛି ନଦୀଜଳ

ଭୁବନେଶ୍ୱର, ୧୦।୯(ବ୍ୟୁରୋ): ରାଜ୍ୟର ପ୍ରମୁଖ ନଦୀରେ ବନ୍ୟାଜଳ ଫୁଲିବାରେ ଲାଗିଛି । କେତେକ ନଦୀରେ ବନ୍ୟାଜଳ ବିପଦସଙ୍କେତ ନିକଟରେ ପ୍ରବାହିତ ହେଉଥିବା ବେଳେ ଆଉ କେତେକ ସ୍ଥାନରେ ବନ୍ୟାପାଣି ବଢ଼ି ଚାଲିଛି। ଦିନେ ଦୁଇଦିନରେ ବର୍ଷା ପରିମାଣ ବୃଦ୍ଧି ହେଲେ ବନ୍ୟା ସ୍ଥିତି ଗମ୍ଭୀର ହେବା ସମ୍ଭାବନା ରହିଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟାରେ ୧୩ଟି ଜିଲାର ଅଳ୍ପ କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଆସନ୍ତା ୧୨ ତାରିଖରୁ ବର୍ଷା ପରିମାଣ ବୃଦ୍ଧି ପାଇବ। ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଉତ୍ତର ଏବଂ ପଶ୍ଚିମ ଓଡ଼ିଶାରେ ବର୍ଷା ପରିମାଣ ବୃଦ୍ଧି ପାଇବ। ୧୩ ଏବଂ ୧୪ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ନଦୀରେ ବନ୍ୟାଜଳ ପୁଣି ଫୁଲିବ ବୋଲି ଅନୁମାନ କରାଯାଉଛି।
ଜଳ ସମ୍ପଦ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ମହାନଦୀ, କୁଶଭଦ୍ରା, ଦେବୀ, ବ୍ରାହ୍ମଣୀ ଏବଂ ସୁବର୍ଣ୍ଣରେଖା ନଦୀର ବନ୍ୟା ଜଳ ବୃଦ୍ଧି ପାଉଥିବା ବେଳେ ବଂଶଧରା, ଋଷିକୁଲ୍ୟା ଓ ବୁଢାବଳଙ୍ଗ ନଦୀର ବନ୍ୟା ଜଳ ସ୍ଥିର ରହିଛି। ମହାନଦୀର ଟିକରପଡା ଓ ନରାଜଠାରେ ବନ୍ୟାଜଳ ବୃଦ୍ଧି ପାଉଥିବା ବେଳେ କୁଶଭଦ୍ରାର ନିମାପଡା, ଦେବୀ ନଦୀର ଆଳିପିଙ୍ଗଳ, ବ୍ରାହ୍ମଣୀର ଇନ୍ଦୁପୁର, ସୁବର୍ଣ୍ଣରେଖାର ଜାମଶୋଳାଘାଟ ଓ ରାଜଘାଟଠାରେ ବନ୍ୟାଜଳ ସତର୍କ ସୂଚନା ଉପରେ ପ୍ରବାହିତ ହେଉଛି। ତେବେ ରାଜ୍ୟର ପ୍ରମୁଖ ଜଳଭଣ୍ଡାରଗୁଡିକରେ ମଧ୍ୟ ଜଳସ୍ତର ବୃଦ୍ଧି ପାଉଛି। ହୀରାକୁଦରେ ଜଳସ୍ତର ୬୨୫.୫୪ ଫୁଟ ରହିଥିବା ବେଳେ ରେଙ୍ଗାଳିି ୧୨୨.୫୨ ମିଟର, ବାଲିମେଳା ୧୫୦୧.୭ ଫୁଟ, ମାଛକୁଣ୍ଡ ୨୭୪୮.୪ ଫୁଟ, ଅପରକୋଲାବ ୮୫୫.୫ ମିଟର, ଇନ୍ଦ୍ରାବତୀ ଜଳଭଣ୍ଡାରରେ ୬୪୦.୮୩ ମିଟର ଜଳ ସ୍ତର ରହିଛି। ବନ୍ୟାଜଳ ବୃଦ୍ଧି ପାଉଥିଲେ ମଧ୍ୟ ବନ୍ୟା ଆଶଙ୍କା ନାହିଁ ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି।
ରାଜ୍ୟରେ ମୌସୁମୀ ବର୍ଷା ସ୍ବାଭାବିକ ରହିଛି। ଜୁନ ପହିଲାରୁ ସେପ୍ଟେମ୍ବର ୯ ତାରିଖ ସୁଦ୍ଧା ରାଜ୍ୟରେ ୧୦୦୮ ମିଲିମିଟର ବର୍ଷା ହେବାକୁ ଥିବା ବେଳେ ହୋଇଛି ୧୦୫୬.୬ ମିଲିମିଟର। ଅର୍ଥାତ ସ୍ବାଭାବିକଠାରୁ ୫ ମିଲିମିଟର ଅଧିକ ବର୍ଷା ହୋଇଛି। କୋରାପୁଟ ଜିଲାରେ ସ୍ବାଭାବିକଠାରୁ ୪୪ ପ୍ରତିଶତ ଅଧିକ ବର୍ଷା ହୋଇଥିବା ବେଳେ ମାଲକାନଗିରି ୨୧, କଳାହାଣ୍ଡି ୧୮, କନ୍ଧମାଳ ୧୭, ପୁରୀ ୨୦, ରାୟଗଡା ୧୪, ସୁବର୍ଣ୍ଣପୁର ୧୯, ନବରଙ୍ଗପୁର ୧୧, ବରଗଡ ୧୫, ବୌଦ୍ଧ ୧୮ ଏବଂ ବଲାଙ୍ଗୀର ଜିଲାରେ ୧୮ ମିଲିମିଟର ଅଧିକ ବର୍ଷା ରେକର୍ଡ କରାଯାଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କଟକ, ବାଲେଶ୍ୱର, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଗତ ୪୮ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ୩୮ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଅନୁଗୋଳ ୩୪, ସୁନ୍ଦରଗଡ ୧୧, ବାଲେଶ୍ୱର ୪.୪, ତାଳଚେରରେ ୬୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।