ବଅଁରପାଳ,୯।୫(ଡି.ଏନ.ଏ.)-ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଫୁଲୁପଡା ଓ ସାନ୍ତରାପୁର (ଖ) ଅଞ୍ଚଳରେ ଶନିବାର ଭୋର ସମୟରେ ହାତୀ ଉପଦ୍ରବ କରିଛନ୍ତି। ଖଣ୍ଡହତାରୁ ୮ରୁ ଊର୍ଦ୍ଧ୍ୱ ହାତୀ ପଳାଇ ଆସି ସ୍ଥାନୀୟ ଲୋକଙ୍କ ବାଡ଼ି ବଗିଚାରେ ପଶି ବହୁ ଫସଲ ନଷ୍ଟ କରିଥିଲେ। ଫଳରେ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଥିଲେ। ହାତୀପଲ ପ୍ରଥମେ ସାନ୍ତରାପୁରରେ ଥିବା ଏକ ବାଇଗଣ ବଗିଚାରେ ପଶି ଗଛ ଗୁଡ଼ିକୁ ନଷ୍ଟ କରିଥିଲେ। ପରେ ଫୁଲୁପଡ଼ା ଅଭିମୁଖେ ପଳାଇ ଆସି ଉପଦ୍ରବ କରିଥିଲେ। ସାନ୍ତାରାପୁର ଗ୍ରାମର ଚାଷୀ ମହେନ୍ଦ୍ର ସାହୁ, କୃଷ୍ଣ ସାହୁ, ସମ୍ବିତ ସାହୁ, ଶ୍ରୀକାନ୍ତ ସାହୁଙ୍କ ବ୍ୟାପକ ବାଇଗଣ ଗଛ ନଷ୍ଟ କରିଥିବା ସେମାନେ ଅଭିଯୋଗ କରିଛନ୍ତି। ହାତୀପଲଙ୍କୁ ଦେଖି ଫୁଲୁପଡ଼ା, ସାନ୍ତରାପୁର, ନୂଆସାହି, ତିଲିପଙ୍ଗା, ଗିରିଧିବାସୀଙ୍କ ସମେତ ଆଖପାଖ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।