ଫୁଲୁରୀ ତେଲ ଲାଗିହେଲେ ମହାପ୍ରଭୁ

ପୁରୀ ଅଫିସ, ୨୨ା୬:  ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗଡ଼ୁ ଜଳରେ ସ୍ନାନ ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ଅଣସର ଘରେ ଏବେ ଚତୁର୍ଦ୍ଧାବିଗ୍ରହ। ଶ୍ରୀଅଙ୍ଗ ଲାଗି ସେବକ ଦଇତାପତିମାନେ ଶ୍ରୀବିଗ୍ରହଙ୍କ ସେବାରେ ଲାଗିପଡ଼ିିଛନ୍ତି। ଅଣସର ଗୃହରେ ଦାରୁଦିଅଁଙ୍କ ଶ୍ରୀଅଙ୍ଗରେ ଶନିବାର ଫୁଲୁରୀ ତେଲ ଲାଗି କରାଯାଇଛି। ଦଇତାପତି ସେବକମାନେ ଏହି ଫୁଲୁରୀ ତେଲ ଲାଗି କରିଛନ୍ତି।
ମହାପ୍ରଭୁଙ୍କ ଗୁପ୍ତନୀତି ମଧ୍ୟରେ ଫୁଲୁରୀ ତେଲ ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ବଡ ଓଡ଼ିଆ ମଠ ପକ୍ଷରୁ ମହାପ୍ରଭୁଙ୍କ ଲାଗି ଫୁଲୁରୀ ତେଲ ଯୋଗାଇ ଦିଆଯାଇଛି। ପ୍ରତିବର୍ଷ ଅଣସରରେ ୬ ସେର ଫୁଲୁରୀ ତେଲ ଯୋଗାଯାଇଥାଏ। କେବଳ ନବକଳେବର ବର୍ଷରେ ୯ ସେର ଫୁଲୁରୀ ତେଲ ଦିଆଯାଇଥାଏ। ଏହି ଫୁଲୁରୀ ତେଲ ପ୍ରସ୍ତୁତି ସମ୍ପର୍କରେ ବଡ଼ ଓଡ଼ିଆ ମଠ ମହନ୍ତ ଅଧିକାରୀ ବଂଶୀଧର ଦାସ ଗୋସ୍ବାମୀ କହିଛନ୍ତି ଯେ, ହେରାପଞ୍ଚମୀ ଦିନ ଘଣାପେଡ଼ା ରାଶିତେଲରେ ୧୪ ପ୍ରକାର ଫୁଲ, ୭ ପ୍ରକାର ଔଷଧୀୟ ଚେରମୂଳ ଏବଂ ସୁବାସିତ ଦ୍ରବ୍ୟ ପକାଇ ଏକ ପାତ୍ରରେ ରଖି ମାଟିତଳେ ପୋତାଯାଇଥାଏ। ଦେବସ୍ନାନ ପୂର୍ଣ୍ଣିମା ପୂର୍ବଦିନ ମାଟିତଳୁ ତେଲକୁ ବାହାର କରାଯାଇ ରଖାଯାଇଥାଏ। ପଞ୍ଚମୀ ଦିନ ତେଲକୁ ଛଣାଯାଇ ଅମୁଣିଆ ପ୍ରସ୍ତୁତ କରି ମହାପ୍ରଭୁଙ୍କୁ ଲାଗି ପାଇଁ ପଠାଯାଏ। ଶନିବାର ଅପରାହ୍ନରେ ମଠର ୨ଜଣ ସଦସ୍ୟ ହାଣ୍ଡିରେ ୬ ସେର ଫୁଲୁରୀ ତେଲ ନେଇ ଶ୍ରୀମନ୍ଦିରକୁ ଯାଇଥିଲେ। ମଧ୍ୟାହ୍ନ ଧୂପ ଏବଂ ଦକ୍ଷିଣୀ ଘର ଭୋଗ ସମ୍ପନ୍ନ ହେବା ପରେ ଜୟବିଜୟ ଦ୍ୱାର ବନ୍ଦ ହୋଇଥିଲା। ଏହାପରେ ଅଣସର ଘର ଦ୍ୱାର ଖୋଲାଯାଇ ଅଣସର ନୀତି ଆରମ୍ଭ ହୋଇଥିଲା। ପତି ମହାପାତ୍ର ସେବକ ୩ଟି ରୂପା ପିଙ୍ଗଣରେ ଫୁଲୁରୀ ତେଲ ନେଇ ସଂସ୍କାର କରିବା ପରେ ଦଇତାପତିମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରାଇଥିଲେ ।

Share