ଫୁସ୍‌ଫୁସ୍‌ରେ ରକ୍ତ ଜମାଟ ମୃତ୍ୟୁର ପ୍ରମୁଖ କାରଣ

ନୂଆଦିଲ୍ଲୀ, ୨୬ା୫: ବିଭିନ୍ନ ଦେଶରେ କୋଭିଡ୍‌-୧୯ ସଂକ୍ରମଣଜନିତ ବହୁ ସଂଖ୍ୟାରେ ମୃତ୍ୟୁ ଏହାର ଭୟାବହତାକୁ ଦର୍ଶାଉଛି। ଏଥିରେ ସଂକ୍ରମିତଙ୍କ ମୃତ୍ୟୁ ସାଧାରଣତଃ ଶ୍ୱାସକ୍ରିୟାରେ ବିଫଳତା ଯୋଗୁ ହେଉଥିବା ତଥ୍ୟ କହୁଛି। କରୋନା ସଂକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କ ଶ୍ୱାସକ୍ରିୟା ବାଧାପ୍ରାପ୍ତ ହେବାର ଏକ ପ୍ରମୁଖ କାରଣ ଫୁସ୍‌ଫୁସ୍‌ରେ ରକ୍ତ ଜମାଟ ବାନ୍ଧିବା(ବ୍ଲଡ୍‌ କ୍ଲଟ୍‌) ବୋଲି ଏକ ଗବେଷଣାର ରିପୋର୍ଟରୁ ଜଣାପଡିଛି। କୋଭିଡ୍‌-୧୯ ଆକ୍ରାନ୍ତଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଅଧ୍ୟୟନରୁ ଏ ସଂକ୍ରାନ୍ତରେ ଡାକ୍ତର ବିଶେଷଜ୍ଞମାନେ ଜାଣିବାକୁ ପାଇଛନ୍ତି।
ଅଧ୍ୟୟନ ରିପୋର୍ଟ ମୁତାବକ, କରୋନା ରୋଗୀଙ୍କ ରକ୍ତରେ ଡି-ଡାଇମର(ରକ୍ତରେ ଥିବା ଛୋଟ ପ୍ରୋଟିନ ଖଣ୍ଡ)ର ସ୍ତର ବୃଦ୍ଧି ପାଇଥାଏ। ଏଥିଯୋଗୁ ରକ୍ତନଳୀରେ ସ୍ବାଭାବିକ ଭାବେ ରକ୍ତ ପ୍ରବାହ ହୋଇ ନ ପାରି ଜମାଟ ବାନ୍ଧିଥାଏ। ଏହାକୁ ଥ୍ରମ୍ବୋସିସ୍‌ ବୋଲି କୁହାଯାଇଥାଏ। ଫଳରେ ଫୁସ୍‌ଫୁସ୍‌ରେ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହେବା ସହ ଅକ୍ସିଜେନ ଯୋଗାଣ ମଧ୍ୟ କମିଯାଇଥାଏ। ଫୁସ୍‌ଫୁସ୍‌ର ଛୋଟ କୋଠରିଗୁଡିକରେ ବ୍ଲଡ୍‌ କ୍ଲଟ୍‌ ହୋଇଯିବା ଯୋଗୁ ଶ୍ୱାସକ୍ରିୟାରେ ବାଧା ଉପୁଜିଥାଏ। ଏପରିକି ଜଣେ ଆଦୌ ନିଃଶ୍ୱାସ ପ୍ରଶ୍ୱାସ ନେଇପାରି ନ ଥାଏ। ପରେ ଫୁସ୍‌ଫୁସ୍‌ର ଏୟାର ପକେଟ୍‌ରେ ଥିବା ରିସେପ୍ଟର ଏଣ୍ଡୋଥେଲିଆଲ (ଟିସୁଗୁଡିକ ମଧ୍ୟକୁ ଅନାବଶ୍ୟକ ଭାବେ ବାହାର ପଦାର୍ଥ ପ୍ରବେଶକୁ ରୋକୁଥିବା କୋଷସମୂହ) କୋଷଗୁଡ଼ିକରେ କରୋନା ଭୂତାଣୁ ପ୍ରବେଶ କରିବାକୁ ଅନୁମତି ଦେଇଥାଏ। ଏଥିଯୋଗୁ ସହଜରେ ଛୋଟ ଛୋଟ ରକ୍ତ ନଳୀଗୁଡିକରେ ଅଧିକ ମାତ୍ରାରେ ରକ୍ତ ଜମାଟ ବାନ୍ଧିବାରେ ଲାଗିଥାଏ। ଏହା ନିୟନ୍ତ୍ରଣ ବାହାରକୁ ଚାଲିଗଲେ ଶରୀରରେ ଶ୍ୱାସକ୍ରିୟା ପ୍ରକ୍ରିୟା ବାଧାପ୍ରାପ୍ତ ହେବା ସହ ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗ ମଧ୍ୟ ପ୍ରଭାବିତ ହୋଇଥାଏ। ଅଧିକାଂଶ କରୋନାଜନିତ ମୃତ୍ୟୁ ଏହି କାରଣରୁ ହେଉଥିବା ଜଣାପଡିଛି। ତେଣୁ ପ୍ରାରମ୍ଭରୁ କରୋନା ରୋଗୀଙ୍କ ଡି-ଡାଇମର ସ୍ତର ପରୀକ୍ଷା କରିବା ତଥା ସେମାନଙ୍କ ରକ୍ତର ଗାଢତା ପରଖିବା ଜରୁରୀ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ଶ୍ୱାସକ୍ରିୟା ହାର ନିରୀକ୍ଷଣ, ପଲ୍‌ସ-ଅକ୍ସିମିଟର ଦ୍ୱାରା ଅମ୍ଳଜାନ ସ୍ତର ଯାଞ୍ଚରୁ ମଧ୍ୟ ଏହା ଜାଣିହେବ। ଯଦି ଏହା ସ୍ବାଭାବିକ ନ ଥାଏ ତେବେ ସମ୍ପୃକ୍ତ ରୋଗୀଙ୍କର ଯଥାଶୀଘ୍ର ଚିକିତ୍ସା ଆବଶ୍ୟକ ବୋଲି ଅଧ୍ୟୟନକାରୀ ପରାମର୍ଶ ଦେଇଛନ୍ତି।

Share