ଫେକ୍‌ ଆଇଡି କରି ହିନ୍ଦୁ ଯୁବତୀଙ୍କୁ ସଂଖ୍ୟାଲଘୁ ଯୁବକ ଫସାଉଥିବା ଅଭିଯୋଗ: ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ପକ୍ଷରୁ ଏସ୍‌ପିଙ୍କୁ ଦାବିପତ୍ର

କୋରେଇ,୧୫।୧୦(ସ୍ବ.ପ୍ର)- ଯାଜପୁର ଜିଲାର ବିଭିନ୍ନସ୍ଥାନ ବିଶେଷ କରି ବରୀ ଅଞ୍ଚଳରେ ସଂଖ୍ୟାଲଘୁ ସମ୍ପ୍ରଦାୟର କେତେଜଣ ଯୁବକ ଫେସ୍‌ବୁକ୍‌ରେ ହିନ୍ଦୁ ଯୁବକ ନାମରେ ଫେକ୍‌ ଆଇଡି ଖୋଲି ହିନ୍ଦୁ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ସ୍ଥାପନ କରୁଥିବା ଓ ପରେ ସେମାନଙ୍କୁ ଅପହରଣ କରି ବ୍ଲାକମେଲିଂ କରୁଥିବା ଭଳି ଅପରାଧ ଉପରେ ରୋକ ଲଗାଇବାକୁ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଏସ୍‌ପିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ କୁହାଯାଇଛି ଯେ, ସଂଖ୍ୟାଲଘୁ ସମ୍ପ୍ରଦାୟର କେତେଜଣ ଯୁବକ ଫେସ୍‌ବୁକ୍‌ରେ ହିନ୍ଦୁ ଯୁବକ ନାମରେ ଫେକ୍‌ ଆଇଡି ଖୋଲି ହିନ୍ଦୁ ଯୁବତୀଙ୍କୁ ପ୍ରଲୋଭିତ କରିବା ପରେ ସେମାନଙ୍କୁ ଅପହରଣ କରି ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି। ଫଳରେ ବରୀ ଅଞ୍ଚଳ ଅଶାନ୍ତ ହେବା ସହିତ ସମଗ୍ର ଜିଲାରେ ସାମ୍ପ୍ରଦାୟିକ ସଦ୍‌ଭାବନା ନଷ୍ଟ ହେବାକୁ ଯାଉଛି। ଫଳରେ ଏହା ଉପରେ ରୋକ ନ ଲଗାଇଲେ ଏହା ଭୟଙ୍କର ରୂପ ଧାରଣ କରିବାର ସମ୍ଭାବନା ସୃଷ୍ଟି ହୋଇଛି। ଏ ନେଇ ୨୦୧୮ଜୁନ ୧୯ରେ ବରୀ ଥାନାରେ ଏକ ମାମଲା (ନଂ.୮୪/୧୮) ରୁଜୁ କରାଯାଇ ଏସ୍‌ପିଙ୍କ ତତ୍ୱାବଧାନରେ ଏକ ଟିମ୍‌ ଅଭିଯୁକ୍ତ ଅବଦୁଲ ଆଜିଫକୁ ଗିରଫ କରିଥିଲା। ପରେ ଧର୍ମ ପରିବର୍ତ୍ତନ, ବାରମ୍ବାର ବଳକତ୍ାର, ଭିଡିଓ ଓ ଫଟୋ ଭାଇରାଲର ଧମକ, ନିଶାଦେଇ ଅଚେତ କରାଇବା ଓ ବିକ୍ରି ପାଇଁ ୩୫ଲକ୍ଷ ଟଙ୍କା ଡିଲ ହୋଇଥିବା ଆଦିର ଗୁମର ଫିଟିଥିଲା। ଏବେ ପୁଣି ବର୍ଷକ ପରେ ବରୀ ମିଳିମିଳାପୁର ଅଞ୍ଚଳରେ ସେଭଳି ଘଟଣା ଆରମ୍ଭ ହୋଇଛି। ଏଥିରେ ବାହାର ରାଜ୍ୟର ଷଡଯନ୍ତ୍ରକାରୀମାନେ ସମ୍ପୃକ୍ତ ଥିବା ଅନୁସନ୍ଧାନରୁ ଜଣାପଡିଛି। ଫଳରେ ହିଂସା ସୃଷ୍ଟିକାରୀ ସମ୍ପୃକ୍ତ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଦାବି କରାଯାଇଛି। ସଙ୍ଗଠନ ପକ୍ଷରୁ ଅକ୍ଷୟ କୁମାର ବଳ, ସମୀର କୁମାର ନାୟକ, ଅରବିନ୍ଦ ଦାସ, ଚକ୍ରଧର ମହାଳିକ, ବାଦଲ ନାୟକ, ଜ୍ୟୋତି ପ୍ରକାଶ ନାୟକ, ଜିଜ୍ଞାଶୁ ସାହୁ, ବିଜୟ କୁମାର ମିଶ୍ର, ମୃତ୍ୟୁଞ୍ଜୟ ପଟ୍ଟନାୟକ, କଳ୍ପତରୁ ପଣ୍ଡା ଏସପିଙ୍କ ଅନୁପସ୍ଥିତିରେ ଅତିରିକ୍ତ ଏସପି ଅକ୍ଷୟ କୁମାର ଦାସଙ୍କୁ ଦାବିପତ୍ର ଦେବା ସହ ସମସ୍ତ ଘଟଣା ସର୍ମ୍ପକରେ ଆଲୋଚନା କରିଥିଲେ।