Categories: ଖେଳ

ଫେଡରର-ନାଡାଲ ସେମିଫାଇନାଲ: କୋଣ୍ଟାଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି

ପ୍ୟାରିସ, ୫ା୬-ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ଦୁଇ ଷ୍ଟାର ଖେଳାଳି ସୁଇରଲାଣ୍ଡର ରୋଜର ଫେଡରର ଏବଂ ସ୍ପେନ୍‌ର ରାଫାଲ ନାଡାଲଙ୍କ ମଧ୍ୟରେ ମୁକାବିଲା ହେବ। ମଙ୍ଗଳବାର ଅନୁଷ୍ଠିତ କ୍ୱାର୍ଟରଫାଇନାଲରେ ଫେଡରର ନିଜ ଦେଶର ଷ୍ଟାନ ଓ୍ବାରିଙ୍କାଙ୍କୁ ୭-୬(୭-୪), ୪-୬, ୭-୬(୭-୫), ୬-୪ ସେଟ୍‌ରେ ହରାଇ ଦେଇଛନ୍ତି। ଅନ୍ୟ ଏକ କ୍ୱାର୍ଟରଫାଇନାଲରେ ନାଡାଲ ଆମେରିକାର ଜାପାନର କେଇ ନିଶିକୋରିଙ୍କୁ ୬-୧, ୬-୧, ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି। ମହିଳା ସିଙ୍ଗଲ୍ସରେ ଜୋହାନା କୋଣ୍ଟା ଅସାଧାରଣ ପ୍ରଦର୍ଶନ ଜାରି ରଖିଛନ୍ତି। ୧୯୮୩ ପରେ ସେ ପ୍ରଥମ ବ୍ରିଟିଶ ମହିଳା ଖେଳାଳି ହିସାବରେ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏଠାରେ ୨୬ତମ ସିଡ୍‌ପ୍ରାପ୍ତ ବ୍ରିଟେନର ଏହି ନମ୍ବର ଓ୍ବାନ ଖେଳାଳି ଆମେରିକାର ୭ମ ସିଡ୍‌ ସ୍ଲୋଏନ୍‌ ଷ୍ଟିଫେନ୍ସଙ୍କୁ ୬-୧, ୬-୪ ସେଟ୍‌ରେ ହରାଇ ଦେଇଛନ୍ତି। ୨୮ ବର୍ଷୀୟା କୋଣ୍ଟା ତିନୋଟି ସର୍ଭିସ ବ୍ରେକ୍‌ କରିଥିବାବେଳେ ତାଙ୍କ ସର୍ଭିସ ବେଳେ ମାତ୍ର ୧୩ ପଏଣ୍ଟ ବ୍ରେକ୍‌ କରିଥିଲେ। ବ୍ରିଟିଶ ମହିଳା ଟେନିସ ଖେଳାଳି ତାଙ୍କ ତୃତୀୟ ଗ୍ରାଣ୍ଡସ୍ଲାମ ସେମିଫାଇନାଲ ଖେଳିବେ। ପୂର୍ବରୁ ସେ ୨୦୧୬ ଅଷ୍ଟ୍ରେଲିଆନ ଓପନ ଏବଂ ୨୦୧୭ ଓ୍ବିମ୍ବେଲଡନ ସେମିଫାଇନାଲରେ ପ୍ରବେଶ କରିପାରିଥିଲେ। ୩୬ ବର୍ଷ ପୂର୍ବେ ଜୋ ଡୁରି ଶେଷ ବ୍ରିଟେନ ଖେଳାଳି ହିସାବରେ ମହିଳା ସେମିଫାଇନାଲରେ ପ୍ରବେଶ କରିଥିଲେ।

Share