Categories: ଖେଳ

ଫେଡ୍‌ କପ୍‌ ଚାମ୍ପିୟନଶିପ୍‌ ସ୍ଥଗିତ

ନୂଆଦିଲ୍ଲୀ, ୨୩ା୩ (ପି.ଟି.)-କୋଭିଡ୍‌-୧୯ ଆଶଙ୍କା ଯୋଗୁ ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ସୋମବାର ବିଧିବଦ୍ଧଭାବେ ଫେଡେରେଶନ କପ୍‌ ନ୍ୟାଶନାଲ ସିନିୟର ଚାମ୍ପିୟନଶିପ୍‌କୁ ସ୍ଥଗିତ ଘୋଷଣା କରିଛି। ଏହି ଇଭେଣ୍ଟ ଆସନ୍ତା ମାସରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିଲା। ଫେଡେରେଶନ କପ୍‌ ଟୋକିଓ ଅଲିମ୍ପିକ୍ସ ପାଇଁ ଏକ କ୍ୱାଲିଫିକେଶନ ଇଭେଣ୍ଟ ମାନ୍ୟତା ପାଇଥିଲା। ଏହା ଏପ୍ରିଲ ୧୦ରୁ ୧୩ ପର୍ଯ୍ୟନ୍ତ ଏନ୍‌ଆଇଏସ୍‌ ପଟିଆଲାଠାରେ ଅନୁଷ୍ଠିତ ହୋଇଥାନ୍ତା।ଏଏଫ୍‌ଆଇ ସଭାପତି ଆଡିଲ ସୁମାରିଓ୍ବାଲା କହିଛନ୍ତି, ସାମ୍ପ୍ରତିକ ପରିସ୍ଥିତି କେବଳ ଦେଶ ନୁହେଁ ସମଗ୍ର ବିଶ୍ୱରେ କୌଣସି ପ୍ରତିଯୋଗିତା ଆୟୋଜନ କଷ୍ଟକର ବ୍ୟାପାର। ସ୍ବାସ୍ଥ୍ୟ ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ପରିସ୍ଥିତିରେ ସୁଧାର ଆସିବା ମାତ୍ରେ ପ୍ରତିଯୋଗିତା ଆରମ୍ଭ ସମ୍ପର୍କରେ ଚିନ୍ତା କରାଯିବ। ସୋମବାର ବୈଠକରେ ଇଣ୍ଡିଆନ ଗ୍ରାଁ ପ୍ରି ପ୍ରତିଯୋଗିତା ଓ ଫେଡେରେଶନ କପ୍‌ ପାଇଁ ନୂଆ ତାରିଖ ସମ୍ପର୍କରେ କୌଣସି ଆଲୋଚନା ହୋଇନାହିଁ ବୋଲି ସେ କହିଛନ୍ତି। ଏଏଫ୍‌ଆଇ ପୂର୍ବରୁ ସିଜନ ଆରମ୍ଭ ଇଣ୍ଡିଆନ୍‌ ଗ୍ରାଁପ୍ରି ସ୍ଥଗିତ ଘୋଷଣା କରିଥିଲା। ଏହି ଇଭେଣ୍ଟ ପଟିଆଲା(ମାର୍ଚ୍ଚ-୨୦), ଶ୍ରୀନଗର (ମାର୍ଚ୍ଚ ୨୫) ଓ ନୂଆଦିଲ୍ଲୀ (ମାର୍ଚ୍ଚ ୨୯)ରେ ଖେଳାଯାଇଥାନ୍ତା। ଇଣ୍ଡିଆନ ଆଥଲେଟିକ୍ସର ହାଇ ପରଫର୍ମାନ୍ସ ଡାଇରେକ୍ଟର ଭୋଲକର ହର୍ମାନ ଫେଡେରେଶନ କପ୍‌ ସ୍ଥଗିତ ଘୋଷଣା ଗୁରୁବାର କରିଥିଲେ। ମାତ୍ର କରୋନା ଭାଇରସ୍‌ ଭୟ ଯୋଗୁ ଏପ୍ରିଲ ୧୫ ପର୍ଯ୍ୟନ୍ତ କୌଣସି ପ୍ରତିଯୋଗିତା ଆୟୋଜନ ନ କରିବା ଲାଗି ସରକାର ସମସ୍ତ ଜାତୀୟ କ୍ରୀଡ଼ା ମହାଂଘକୁ ନିର୍ଦ୍ଦେଶ ଦେବାପରେ ଇଣ୍ଡିଆନ ଗ୍ର୍ରାଁପ୍ରି ସିରିଜକୁ ବାତିଲ କରାଯାଇଥିଲା ବୋଲି ହର୍ମାନ ପ୍ରକାଶ କରିଛନ୍ତି।

Share