ଫେବୃୟାରୀ ୧୩ରୁ ଅନ୍ତର୍ଜାତୀୟ ରେଡିଓ ମେଳା

ଭୁବନେଶ୍ୱର,୩ା୨(ବ୍ୟୁରୋ): ‘ଆଉଟ୍‌ରିଚ୍‌’ ପକ୍ଷରୁ ଆସନ୍ତା ୧୩ ଓ ୧୪ ତାରିଖରେ ୬ଷ୍ଠ ଅନ୍ତର୍ଜାତୀୟ ରେଡିଓ ମେଳା ଭଞ୍ଜକଳା ମଣ୍ଡପଠାରେ ଆୟୋଜିତ ହେବ। ବିଶ୍ୱ ରେଡିଓ ଦିବସ ଅବସରରେ ଆୟୋଜିତ ହେବାକୁ ଥିବା ଏହି ମେଳାରେ ଦେଶ ବିଦେଶର ବହୁ ରେଡିଓ ଷ୍ଟେଶନ ସାମିଲ ହେବେ। ଏହି ଅବସରରେ ନୂଆ ଓ ପୁରୁଣା ରେଡିଓ, ଗ୍ରାମ୍‌ଫୋନ ସହ ହାମ୍‌ ରେଡିଓ ପ୍ରଦର୍ଶନୀ ମେଳାର ମୁଖ୍ୟ ଆକର୍ଷଣ ସାଜିବ। ଜାପାନ, ଆମେରିକା, ଓ ବାଂଲାଦେଶ ପରି ଦେଶର ରେଡିଓ ଷ୍ଟେଶନଗୁଡିକ ଏଥର ରେଡିଓ ମେଳାରେ ସାମିଲ ହେବେ ବୋଲି ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଆଉଟ୍‌ରିଚ୍‌ର ମୁଖ୍ୟ ସୁବ୍ରତ କୁମାର ପତି ସୂଚନା ଦେଇଛନ୍ତି।
ଆଉଟରିଚ୍‌ ଅନ୍ତର୍ଜାତୀୟ ରେଡିଓ ମେଳାରେ ଏଥର ବିଭିନ୍ନ ରାଜ୍ୟର ଲାଇସେନ୍ସପ୍ରାପ୍ତ ହାମ୍‌ ରେଡ଼ିଓ ଅପରେଟରମାନେ ସାମିଲ ହେବେ। ସେମାନେ ହାମ୍‌ ରେଡିଓ ସମେତ ଇମରଜେନ୍ସି ରେଡିଓର ପ୍ରଦର୍ଶନୀ ଆୟୋଜନ କରିବେ। ଅନ୍ତର୍ଜାତୀୟସ୍ତରରେ ରେଡ଼ିଓ ସମ୍ପର୍କିତ ଜ୍ଞାନକୌଶଳ ଓ ପରାମର୍ଶ ଦେଉଥିବା ସଂସ୍ଥା ବେସିଲ୍‌ ରେଡିଓ ଏହି ମେଳାରେ ଷ୍ଟଲ୍‌ ଖୋଲିବ। ଏଠାରେ ଆଗ୍ରହୀ ବ୍ୟକ୍ତିବିଶେଷ ତଥା ସଂସ୍ଥାମାନଙ୍କୁ କମ୍ୟୁନିଟି ରେଡିଓ ଷ୍ଟେଶନ ତିଆରି କରିବା ପାଇଁ ଆବଶ୍ୟକ ସୂଚନା ଯୋଗାଇ ଦିଆଯିବ। ବୋଲଗଡ଼ର ଅକ୍ଷୟ ପଟ୍ଟନାୟକ, ଭୁବନେଶ୍ୱରର ସଞ୍ଜୀବ ମାନା, କଟକର କାଳୀପ୍ରସନ୍ନ ପଣ୍ଡା ଓ ସନ୍ତୋଷ ବିଶ୍ୱାଳ ୪ ହଜାରରୁ ଅଧିକ ରେଡିଓ ଏଠାରେ ପ୍ରଦର୍ଶିତ କରିବେ। ଏଥିସହ ବିଭିନ୍ନ ପ୍ରକାର ରେଡିଓ ସେଟ୍‌ ବିକ୍ରି ହେବ। ସେହିଭଳି ମେଳାର ଏକ ଷ୍ଟଲ୍‌ରେ ହାତତିଆରି ରେଡିଓ ପ୍ରସ୍ତୁତ ହେବ। ବରାଦ ମୁତାବକ ରେଡିଓ ଏଠାରେ ଗ୍ରାହକଙ୍କ ପାଇଁ ତିଆରି କରାଯିବ। ଛାତ୍ରୀଛାତ୍ରଙ୍କ ପାଇଁ ଖବର ପଠନ, ଆର୍‌ଜେଇଂ, ଫ୍ୟାଶନ ଶୋ’, ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା ଆୟୋଜିତ ହେବ। ୨୦୧୯ ପାଇଁ ଆର୍‌ଜେ କାର୍ତ୍ତିକଙ୍କୁ ଲୋକପ୍ରିୟ ରେଡିଓ ପ୍ରସାରକ, ପଶ୍ଚିମବଙ୍ଗର ସିଦ୍ଧାର୍ଥ ଭଟ୍ଟାଚାର୍ଯ୍ୟଙ୍କୁ ଶ୍ରେଷ୍ଠ ଶ୍ରୋତା ଓ ଆସାମର ରେଡିଓ ବ୍ରହ୍ମପୁତ୍ରକୁ ଶ୍ରେଷ୍ଠ କମ୍ୟୁନିଟି ରେଡିଓ ସମ୍ମାନରେ ସମ୍ମାନିତ କରାଯିବ।

Share