ଫେବୃୟାରୀ ୧୫ରୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା

ଭୁବନେଶ୍ୱର, ୧୮।୧୨(ବ୍ୟୁରୋ):କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ବା ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି। ୨୦୨୦ ଫେବୃୟାରୀ ୧୫ରୁ ଉଭୟ ଦଶମ ଓ ଦ୍ୱାଦଶ ପରୀକ୍ଷା ଆରମ୍ଭ ହେବ। ଦଶମ ପରୀକ୍ଷା ମାର୍ଚ୍ଚ ୨୦ରେ ଶେଷ ହେବାକୁ ଥିବାବେଳେ ଦ୍ୱାଦଶ ପରୀକ୍ଷା ମାର୍ଚ୍ଚ ୩୦ରେ ଶେଷ ହେବ। ପ୍ରତିଦିନ ପରୀକ୍ଷା ପୂର୍ବାହ୍ନ ୧୦ଟା ୩୦ରୁ ଆରମ୍ଭ ହୋଇ ଅପରାହ୍ନ ୧ଟା ୩୦ମିନିଟ୍‌ରେ ଶେଷ ହେବ। ଛାତ୍ରୀଛାତ୍ରମାନେ ପରୀକ୍ଷା କେନ୍ଦ୍ରରେ ୯ଟା ୩୦ ସୁଦ୍ଧା ପହଞ୍ଚତ୍ବେ। ୧୦ଟାରେ ଉତ୍ତରଖାତା ଦିଆଯିବ ଓ ୧୦ଟା ୧୫ରେ ପ୍ରଶ୍ନପତ୍ର ଦିଆଯିବ। ପ୍ରଶ୍ନପତ୍ର ଭଲରେ ପଢ଼ିବା, କିପରି ଓ କେଉଁ ପ୍ରଶ୍ନକୁ ଆଗେ ଉତ୍ତର ଲେଖିବାକୁ ହେବ ସେଥିପାଇଁ ଛାତ୍ରୀଛାତ୍ରମାନଙ୍କୁ ୧୫ମିନିଟ୍‌ ସମୟ ଦିଆଯାଇଛି। ଏହାପରେ ୧୦ଟା ୩୦ରୁ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷା ସମ୍ପର୍କରେ ସମସ୍ତ ସୂଚନା ବୋର୍ଡର ଅଫିସିଆଲ ଓ୍ବେବ୍‌ସାଇଟ୍‌ www.cbse.nic.inରେ ଉପଲବ୍ଧ ରହିଛି। ଓ୍ବେବ୍‌ସାଇଟ୍‌ରୁ ଛାତ୍ରୀଛାତ୍ରମାନେ ସେମାନଙ୍କ ପରୀକ୍ଷାର ସୂଚୀ ସମ୍ପର୍କରେ ଜାଣିପାରିବେ। ସୂଚନାଯୋଗ୍ୟ, ଗତବର୍ଷ ଦଶମ ପରୀକ୍ଷା ମାର୍ଚ୍ଚ ୭ରୁ ୨୯ ଏବଂ ଦ୍ୱାଦଶ ପରୀକ୍ଷା ମାର୍ଚ୍ଚ ୨ରୁ ଏପ୍ରିଲ ୨ପର୍ଯ୍ୟନ୍ତ ଚାଲିଥିଲା।

Share