Categories: ଜାତୀୟ

ଫେବୃୟାରୀ ୧ ସକାଳ ୬ଟାରେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ଦୋଷୀ

ନୂଆଦିଲ୍ଲୀ,୧୭।୧: ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କୁ ଫେବୃୟାରୀ ୧ ସକାଳ ୬ଟାରେ ଫାଶୀ ଦିଆଯିବ ବୋଲି ଶୁକ୍ରବାର ଦିଲ୍ଲୀର ପଟିଆଲା ହାଉସ କୋର୍ଟ ରାୟ ଦେଇଛନ୍ତି। ଏଥିପାଇଁ ନୂଆ ଡେଥ୍‌ ଓ୍ବାରେଣ୍ଟ ମଧ୍ୟ ଜାରି କରାଯାଇଛି। ଏହାକୁ ନେଇ ନିର୍ଭୟାଙ୍କ ମା’ ଆଶା ଦେବୀ କହିଛନ୍ତି ଯାହା ଦୋଷୀ ଚାହୁଁଥିଲେ ତାହା ହେଉଛି। ଖାଲି ତାରିଖ ପରେ ତାରିଖ। ଆମ ସିଷ୍ଟମ ଏମିତି ଯେଉଁଠି ଦୋଷୀଙ୍କ କଥାକୁ ଶୁଣାଯାଉଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିର୍ଭୟା ମାମଲାର ଦୋଷୀ ମୁକେଶଙ୍କ କ୍ଷମା ଆବେଦନକୁ ଖାରଜ କରିଦେଇଥିଲେ। ଏହା ପୂର୍ବରୁ ଗୁରୁବାର କୋର୍ଟ ତିହାର ଜେଲ ପ୍ରଶାସନକୁ ଫାଶୀ ପାଇଁ ପ୍ରସ୍ତୁତିକୁ ନେଇ ରିପୋର୍ଟ ଦାଖଲ କରିବାକୁ କହିଥିଲେ। ଶୁକ୍ରବାର ଏହି ମାମଲାର ଶୁଣାଣି କରି କୋର୍ଟ ନୂଆ ଡେଥ୍‌ ଓ୍ବାରେଣ୍ଟ ମଧ୍ୟ ଜାରି କରିବା ସହ ଦୋଷୀଙ୍କୁ ଫେବୃୟାରୀ ୧ରେ ଫାଶୀ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୧୨ରେ ୨୩ ବର୍ଷୀୟା ପାରାମେଡିକାଲ ଛାତ୍ରୀ ନିର୍ଭୟାଙ୍କୁ ଗଣବଳାତ୍କାର କରାଯାଇଥିଲା। ଚଳନ୍ତା ବସ୍‌ରେ ରାଜଧାନୀ ଛାତିରେ ଘଟିଥିବା ଏହି ଘଟଣା ସେତେବେଳେ ଆଲୋଡନ ସୃଷ୍ଟି କରିଥିଲା। ଦୀର୍ଘ ୭ ବର୍ଷ ପରେ ଏହି ମାମଲାର ଶୁଣାଣି କରି କୋର୍ଟ ବିନୟ ଶର୍ମା, ମୁକେଶ କୁମାର ସିଂ, ଅକ୍ଷୟ ଠାକୁର ଓ ପଓ୍ବନ ଗୁପ୍ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଫାଶୀ ଦଣ୍ଡାଦେଶ ଦେଇଥିଲେ।

Share