Categories: ଜାତୀୟ

ଫେବୃୟାରୀ ୮ରେ ଦିଲ୍ଲୀ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ,୬।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସୋମବାର ତାରିଖ ଘୋଷଣା ହୋଇଛି। ଫେବୃୟାରୀ ୮ରେ ଭୋଟିଂ କରାଯିବ ବୋଲି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ସୂଚନା ଦେଇଛନ୍ତିି। ଗୋଟିଏ ପର୍ଯ୍ୟାୟରେ ଏହି ନିର୍ବାଚନ ଅନୁଷ୍ଠିତ ହେଉଥିବାବେଳେ ଏହାର ଫଳାଫଳ ଫେବୃୟାରୀ ୧୧ରେ ପ୍ରକାଶ ପାଇବ। ନିର୍ବାଚନ ପାଇଁ ବିଜ୍ଞପ୍ତି ଜାନୁୟାରୀ ୧୪ରେ ପ୍ରକାଶ ପାଇବ। ପ୍ରାର୍ଥୀପତ୍ର ଦାଖଲର ଅନ୍ତିମ ତାରିଖ ଜାନୁୟାରୀ ୨୧ ଥିବାବେଳେ ଜାନୁୟାରୀ ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ୍‌ କରାଯିବ। ନିର୍ବାଚନ ତାରିଖ ଘୋଷଣା ସହିତ ଦିଲ୍ଲୀରେ ନିର୍ବାଚନ ଆଚରଣ ବିଧି ମଧ୍ୟ ଲାଗୁ ହୋଇଛି। ଦିଲ୍ଲୀର ୭୦ ବିଧାନସଭା ଆସନ ମଧ୍ୟରୁ ୫୮ ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ୧୨ ଆସନ ସଂରକ୍ଷିତ ରହିଛି।

ରାଜ୍ୟର ମୋଟ ଭୋଟର ସଂଖ୍ୟା ଏକ କୋଟି ୪୬ ଲକ୍ଷ ୯୨ ହଜାର ଶହେ ୩୬। ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୮୦ ଲକ୍ଷ ୫୫ ହଜାର ୬ଶହ ୮୬ ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୬୬ ଲକ୍ଷ ୩୫ ହଜାର ୬ଶହ ୩୫ ରହିଛି। ସେହିପରି ରାଜ୍ୟରେ ୮ଶହ ୧୫ ଜଣ କିନ୍ନର ଭୋଟର ଅଛନ୍ତି। ନିର୍ବାଚନରେ ୯୦ ହଜାର କର୍ମଚାରୀଙ୍କୁ ନିୟୋଜିତ କରାଯିବ। ରାଜ୍ୟର ୨ ହଜାର ୬ଶହ ୮୯ ଭୋଟ କେନ୍ଦ୍ରର ୧୩ ହଜାର ୭ଶହ ୫୦ ପୋଲିଂ ବୁଥ୍‌ରେ ଭୋଟ ଗ୍ରହଣ କରାଯିବ। ସୂଚନାଯୋଗ୍ୟ, ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ ୨୦୨୦ ଫେବୃୟାରୀ ୨୨ରେ ଶେଷ ହେଉଛି। ଗତ ୨୦୧୫ ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟିକୁ ୭୦ଟି ବିଧାନସଭା ଆସନ ମଧ୍ୟରୁ ୬୭ଟି ମିଳିଥିବାବେଳେ ଭାଜପା ୩ଟି ଆସନ ହାତେଇଥିଲା। ସେହିପରି କଂଗ୍ରେସ ଦଳ ଖାତା ଖୋଲିବାକୁ ସକ୍ଷମ ହୋଇପାରି ନ ଥିଲା।

Share