Categories: ଖେଳ

ଫେରିବା ସଙ୍କେତ ଦେଲେ ଧୋନୀ

ନୂଆଦିଲ୍ଲୀ,୧୬।୧(ପି.ଟି.)- ବିସିସିଆଇର କେନ୍ଦ୍ରୀୟ ଚୁକ୍ତି ଖେଳାଳିଙ୍କ ତାଲିକାରୁ ବାଦ୍‌ ପଡ଼ିଥିବା ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଗୁରୁବାର କ୍ରିକେଟକୁ ଫେରିବା ସଙ୍କେତ ଦେଇଛନ୍ତି। ସେ ଝାଡ଼ଖଣ୍ଡ ରଣଜୀ ଦଳ ସହ ଅଭ୍ୟାସ ଆରମ୍ଭ କରିଛନ୍ତି। ଏଥିସହ ଭେଟେରାନ ଉଇକେଟକିପର ବ୍ୟାଟ୍ସମ୍ୟାନଙ୍କ ଭବିଷ୍ୟତ ନେଇ ପୁଣି କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ୩୮ ବର୍ଷୀୟ କ୍ରିକେଟର ଘରୋଇ ଗ୍ରାଉଣ୍ଡ ରାଞ୍ଚରେ ନେଟ୍‌ ପ୍ରାକ୍ଟିସ କରିଥିଲେ। ଏହା ଦର୍ଶାଉଛି ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ଲାଗି ସେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଧୋନୀ ଆମ ସହ ଅଭ୍ୟାସ ଓ ଟ୍ରେନିଂ କରିବେ ବୋଲି ଆମେ ଜାଣି ନ ଥିଲୁ। ମାତ୍ର ତାଙ୍କୁ ଗ୍ରାଉଣ୍ଡରେ ଦେଖି ଆମେ ବହୁତ ଖୁସି। ସେ କିଛି ସମୟ ବ୍ୟାଟିଂ କରିବା ପରେ ସାଧାରଣ ଟ୍ରେନିଂ କରିଥିଲେ ବୋଲି ଝାଡ଼ଖଣ୍ଡ ଦଳୀୟ ମ୍ୟାନେଜମେଣ୍ଟର ନିକଟସ୍ଥ ସୂତ୍ରରୁ ଜଣାପଡ଼ିଛି। ଆସନ୍ତା ରବିବାର ଝାଡ଼ଖଣ୍ଡ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ଉତ୍ତରାଖଣ୍ଡକୁ ଭେଟିବ। ଜୁଲାଇ ୯ ତାରିଖରେ ଆଇସିସି ବିଶ୍ୱକପ୍‌ ସେମିଫାଇନାଲରେ ଭରତୀୟ ଦଳର ପରାଜୟ ପରେ ଧୋନୀ ଏପର୍ଯ୍ୟନ୍ତ କୌଣସି ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ ଖେଳିନାହାନ୍ତି। କିନ୍ତୁ ଆଇପିଏଲରେ ଭଲ ପ୍ରଦର୍ଶନ କରି ଟି୨୦ ବିଶ୍ୱକପ୍‌ ଦଳରେ ସ୍ଥାନ ହାସଲ କରିପାରନ୍ତି। ଟି୨୦ ବିଶ୍ୱକପ୍‌ ଅଷ୍ଟ୍ରେଲିଆରେ ଅକ୍ଟୋବରରେ ଖେଳାଯିବ।

Share