Categories: ଖେଳ

ଫେରିବେ ସାନିଆ

ମା’ ହେବା ପରେ ଟେନିସ ଖେଳାଳିମାନେ ସଫଳ ପ୍ରତ୍ୟାବର୍ତ୍ତନ କରିବାର ଉଦାହରଣ କମ୍‌ ରହିଛି। ତେବେ ସେରେନା ଓ୍ବିଲିୟମ, ମାର୍ଗାରେଟ୍‌ କୋର୍ଟ, ଇଭୋନ ଗୁଲାଗଙ୍ଗ ଓ କିମ୍‌ କ୍ଲିଷ୍ଟର୍ସ ଏଥିରେ ବ୍ୟତିକ୍ରମ ଆଣିଛନ୍ତି। ସାନିଆଙ୍କ ପାଇଁ ଏହି ଖେଳାଳିମାନେ
ଏବେ ପ୍ରେରଣା ସୃଷ୍ଟି କରିଛନ୍ତି…

ଭାରତର ସଫଳତମ ଟେନିସ ତାରକା ସାନିଆ ମିର୍ଜା ଦୀର୍ଘଦିନ ପରେ ପୁଣି ଥରେ ଟେନିସକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ୬ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ସାନିଆ ଏଥିପାଇଁ କଠିନ ପରିଶ୍ରମ ଆରମ୍ଭ କରିଦେଇଛନ୍ତି। ମା’ ହେବା ପରେ ସେ ୨୦୨୦ ଜାନୁୟାରୀରେ କମ୍ପିଟିଟିଭ ଟେନିସକୁ ଫେରିବା ଲକ୍ଷ୍ୟରେ ରହିଛନ୍ତି। ଏଥିପାଇଁ ସେ ଅତ୍ୟନ୍ତ ବ୍ୟଗ୍ର ନୁହନ୍ତି। ମା’ ହେବାର ଦୁଇ ବର୍ଷ ପରେ ସେ ଜବରଦସ୍ତ ଟ୍ରେନିଂ କରୁଛନ୍ତି। ସେ ଦିନକୁ ୪ ଘଣ୍ଟା ଅଭ୍ୟାସ କରିଛନ୍ତି। ଏହି ପ୍ରକ୍ରିୟାରେ ସେ ୨୬ କେ.ଜି. ଓଜନ କମାଇଛନ୍ତି। ସେ ହାସଲ କରିଥିବା ୬ଟି ଗ୍ରାଣ୍ଡସ୍ଲାମ ଟାଇଟଲରେ ୬ଟି ମିକ୍ସଡ ଟାଇଟଲ ସାମିଲ ରହିଛି। ସେ ମଧ୍ୟ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ୧ ନମ୍ବର ସ୍ଥାନ ହାସଲ କରିଛନ୍ତି। ସୁଇଜରଲାଣ୍ଡର କିମ୍ବଦନ୍ତୀ ମହିଳା ଖେଳାଳି ମାର୍ଟିନା ହିଙ୍ଗିସ୍‌ଙ୍କ ସହ ସେ ସାଥିହୋଇ ସଫଳତାର ଶୀର୍ଷକୁ ଛୁଇଁଥିଲେ। ଆସନ୍ତା ଅଗଷ୍ଟରେ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି ବୋଲି ସାନିଆ କହିଛନ୍ତି। ଆଗକୁ ଯଦି କିଛି ସଫଳତା ମିଳେ ତା’ହେଲେ ଏହା ମୋ ପାଇଁ ବୋନସ ହେବ। ପୁଅ ଇଝାନ ମୋ ପାଇଁ ସବୁଠାରୁ ବଡ଼ ଆଶୀର୍ବାଦ ସଦୃଶ ହୋଇଛି। ଯଦି ମୋର ପ୍ରତ୍ୟାବର୍ତ୍ତନ ସଫଳ ହୁଏ ତା’ହେଲେ ଏହା ନିଶ୍ଚିତ ଭାବେ ଆନନ୍ଦଦାୟକ ହେବ। ଟେନିସ ପ୍ରତି ମୋର ଥିବା ଦୁର୍ବଳତା ଓ ଭଲପାଇବା କାରଣରୁ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି।
ମା’ ହେବା ପରେ ମହିଳା ଖେଳାଳିମାନେ ସଫଳ ପ୍ରତ୍ୟାବର୍ତ୍ତନ କରିବାର ଉଦାହରଣ କମ୍‌ ରହିଛି। ମା’ ହେବା ପରେ ମାର୍ଗାରେଟ୍‌ କୋର୍ଟ, ଇଭୋନ ଗୁଲାଗଙ୍ଗ ଓ କିମ୍‌ କ୍ଲିଷ୍ଟର୍ସ ପ୍ରତ୍ୟାବର୍ତ୍ତନ କରି ସିଙ୍ଗଲ୍ସ ମେଜର ଟାଇଟଲ ହାସଲ କରିଛନ୍ତି। ସେରେନା ଓ୍ବିଲିୟମ୍ସ ହେଉଛନ୍ତି ସଦ୍ୟତମ ଉଦାହରଣ। ସେରେନା ଏବେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ନବମ ସ୍ଥାନରେ ରହିଛନ୍ତି। ଭିକ୍ଟୋରିଆ ଆଜାରେଙ୍କା ମା’ ହେବା ପରେ ପ୍ରତ୍ୟାବର୍ତ୍ତନ କରି ଏବେ ସିଙ୍ଗଲ୍‌ ଓ ଡବଲ୍ସ ବିଭାଗର ଶ୍ରେଷ୍ଠ ୫୦ରେ ସ୍ଥାନ ପାଇଛନ୍ତି। ଆଣ୍ଠୁରେ ଥିବା ପୁରୁଣା ଇଞ୍ଜୁରି ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ପ୍ରଶଂସକ ଓ ଶୁଭଚିନ୍ତକଙ୍କ ଆଶା ରହିଛି। ତେବେ ସବୁଠାରୁ ବଡ଼ କଥା ହେଉଛି ପ୍ରତ୍ୟାବର୍ତ୍ତନକୁ ସଫଳ କରିବା। ଗତ ୨ ବର୍ଷ ହେବ ଟେନିସ ଖେଳିନାହିଁ। ଯଦି ସଫଳ ହୁଏ ତା’ହାଲେ ଟୋକିଓ ଅଲିମ୍ପିକ୍ସ ଖେଳିବା ମୋର ମୁଖ୍ୟ ଲକ୍ଷ୍ୟ ହେବ ବୋଲି ସାନିଆ କହିଛନ୍ତି।

Share