ସୋନପୁର,୨୫।୪(ନି.ପ୍ର.): ମେ’ ୩ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ଲକ୍ଡାଉନ୍ କଟକଣା ହଟିଲା ପରେ ଅନ୍ୟ ରାଜ୍ୟରେ ଫସି ରହିଥିବା ଛାତ୍ରୀଛାତ୍ର, ଚାକିରିଆ ଓ ଦାଦନ ଶ୍ରମିକଙ୍କୁ ଓଡିଶା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ଏଥିପାଇଁ ପ୍ରସ୍ତୁତି ମଧ୍ୟ ଜୋରସୋରରେ ଚାଲିଛି। ସୁବର୍ଣ୍ଣପୁର ଜିଲାର ୧୧ହଜାର ୮୮ଜଣ ବାହାର ରାଜ୍ୟରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ୯୫୮୮ଜଣ ନିଜ ଘରକୁ ଫେରିବାକୁ ଚାହୁଁଥିବା ସର୍ଭେରୁ ଜଣାପଡିଛି। ସର୍ବାଧିକ ୭୦୪୩ଜଣ ତାମିଲନାଡୁରେ ଓ ଦ୍ୱିତୀୟ ସର୍ବାଧିକ ୯୫୯ଜଣ ଆନ୍ଧ୍ରପ୍ରଦେଶରେ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ଗ୍ରୀନ୍ ଜୋନରେ ରହିଛି ସୁବର୍ଣ୍ଣପୁର। ବହିରାଗତଙ୍କ ଆଗମନ ପରେ ଏହା ଜିଲା ପାଇଁ ବିପଦ ସୃଷ୍ଟି କରିବ ବୋଲି ଚର୍ଚ୍ଚା ହେଉଛି। ତେବେ ପ୍ରଶାସନ ଏଥିପାଇଁ ପ୍ରସ୍ତୁତ ଥିବା ଜିଲାପାଳ ମୋନିଷା ବାନାର୍ଜୀ କହିଛନ୍ତି। ଲକ୍ଡାଉନ୍ ପରେ ଅନ୍ୟ ରାଜ୍ୟରୁ ଓଡିଶା ଫେରୁଥିବା ବ୍ୟକ୍ତିଙ୍କ ପଞ୍ଜିକରଣ ସରକାର ବାଧ୍ୟତାମୂଳକ କରିଛନ୍ତି। ଫର୍ମ ପୂରଣ କରି ପଞ୍ଜୀକରଣ ପାଇଁ ନୋଡାଲ ଅଫିସର ନିଯୁକ୍ତ ହୋଇଛନ୍ତି। ଅଫିସରଙ୍କ ପାଇଁ ୟୁଜର ଆଇଡି ସୃଷ୍ଟି ହୋଇଛି। ଜିଲାର ୧୦୯ପଞ୍ଚାୟତ, ୩ଟି ସହରର ୪୯ଟି ଓ୍ବାର୍ଡ ପାଇଁ ନୋଡାଲ ଅଫିସର ନିଯୁକ୍ତ କରାଯାଇଛି। ବ୍ଲକସ୍ତରରେ ବିଡିଓ ଓ ମ୍ୟୁନିସିପାଲିଟି/ଏନଏସିରେ ସମ୍ପୃକ୍ତ ନିର୍ବାହୀ ଅଧିକାରୀ ନୋଡାଲ ଅଫିସର ଅଛନ୍ତି। ଜିଲାସ୍ତରରେ ପିଡି ଡିଆରଡିଏ ଶରତ ଚନ୍ଦ୍ର ପଣ୍ଡା ନୋଡାଲ ଅଫିସର ରହିଛନ୍ତି। ଲକ୍ଡାଉନ ପରେ ବାହାରୁ ଆସିଥିବା ଲୋକଙ୍କୁ ସଙ୍ଗରୋଧରେ ରଖାଯିବ। ସମସ୍ତ ଖର୍ଚ୍ଚ ସରକାର ବୁଝିବେ । ୩ଟି ସହରରେ ଲୋକମାନଙ୍କ ରହିବା ପାଇଁ ୧୨ଟି ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ଯଥେଷ୍ଟ ହେବ। ତେବେ ଗ୍ରାମାଞ୍ଚଳରେ ଏତେ ସଂଖ୍ୟକ ଲୋକଙ୍କୁ ୧୫୦ଟି ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ସଙ୍ଗରୋଧ କରି ରଖିବା ସମ୍ଭବ ନୁହଁ। କାରଣ ବର୍ତ୍ତମାନ ସୁଦ୍ଧା ମାତ୍ର ୪ହଜାର ଶଯ୍ୟାର ସମସ୍ତ ବ୍ୟବସ୍ଥା ହୋଇପାରିଛି । ଯଦି ସମସ୍ତଙ୍କୁ ଏକକାଳୀନ ଫେରାଇ ଅଣାଯାଏ ତେବେ ତାହା ଆଗାମୀ ଦିନରେ ଜିଲାବାସୀଙ୍କ ପାଇଁ ବିପଦ ସୃଷ୍ଟି କରିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ ତଥା ଜିଲାସ୍ତରୀୟ ନୋଡାଲ ଅଫିସର ଶରତ ଚନ୍ଦ୍ର ପଣ୍ଡା କୁହନ୍ତି, ଅସ୍ଥାୟୀ ଶିବିରରେ ୮ହଜାର ଲୋକ ସଙ୍ଗରୋଧରେ ରହିବା ପାଇଁ ସ୍ଥାନ ଅଛି। ଏଥିପାଇଁ ଆଉ ୪ ହଜାର ଶଯ୍ୟା କିଣାଯିବ। ଆବଶ୍ୟକ ପଡିଲେ ଶିବିରର କକ୍ଷ ସଂଖ୍ୟା ବୃଦ୍ଧି କରାଯିବ। ଏହି ଜିଲା ଏକ ଦାଦନ ପ୍ରବଣ ଅଞ୍ଚଳ। ଶ୍ରମିକମାନେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡରେ ଇଟାଭାଟିରେ କାମ କରନ୍ତି। ସେହିପରି ଶିକ୍ଷିତ ବେକାରୀମାନେ ଅନ୍ୟ ରାଜ୍ୟରେ କାମ କରୁଛନ୍ତି। ସେମାନେ କରୋନା ସଂକ୍ରମିତ ରାଜ୍ୟ ମାନଙ୍କରୁ ଫେରିଲେ ସ୍ଥିତି ବିଗିଡି ଯିବାର ଆଶଙ୍କା ରହିଛି । ସରକାର ସରପଞ୍ଚମାନଙ୍କୁ ଜିଲାପାଳଙ୍କ କ୍ଷମତା ପ୍ରଦାନ କରିଛନ୍ତି । ମାତ୍ର ଅଧିକାଂଶ ସରପଞ୍ଚ ସେମାନଙ୍କ ଦାୟିତ୍ୱ ସମ୍ପର୍କରେ ସଚେତନ ନୁହନ୍ତି । ଏଭଳି ସ୍ଥିତିରେ ଠିକ୍ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ହୋଇପଡିଛି।