ଫେରିଲା ସାତକୋଶିଆ ସୌନ୍ଦର୍ଯ୍ୟ: ୧୪ ମାସ ପରେ ବୋଟିଂ ବ୍ୟବସ୍ଥା

ବନ୍ତଳା, ୬ା୧୨(ଡି.ଏନ.ଏ.)- ବାଘୁଣୀ ସୁନ୍ଦରୀ ଆକ୍ରମଣକୁ ନେଇ ସୃଷ୍ଟି ହୋଇଥିବା ଉତ୍ତେଜନା ଓ ବ୍ୟାପକ ପୋଡ଼ାଜଳା ପରଠାରୁ ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ଗଣ୍ଡରେ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହୋଇଯାଇଥିବା ବୋଟିଂ ବ୍ୟବସ୍ଥା ୧୪ ମାସ ପରେ ପୁନଃ ଆରମ୍ଭ ହୋଇଛି। ବନ ବିଭାଗ ପକ୍ଷରୁ ୫୦ ଲକ୍ଷ ଟଙ୍କା ବ୍ୟୟରେ ୫ଟି ବୋଟ୍‌ କିଣାଯାଇଥିବାରୁ ଏବେ ପର୍ଯ୍ୟଟକମାନେ ପୂର୍ବପରି ସାତକୋଶିଆର ସୌନ୍ଦର୍ଯ୍ୟକୁ ଭରପୂର ଉପଭୋଗ କରିପାରିବେ। ଉକ୍ତ ୫ଟି ବୋଟ୍‌ ମଧ୍ୟରୁ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ୨ଟି ଓ ବନ୍ୟପ୍ରାଣୀ ପିସିସିଏଫଙ୍କ ତତ୍ତ୍ୱାବଧାନରେ ୩ଟି ବୋଟ କ୍ରୟ କରାଯାଇଛି। ଇତିମଧ୍ୟରେ ନୂତନ ବୋଟ୍‌ର ପୂଜାର୍ଚ୍ଚନା ସହ ପର୍ଯ୍ୟଟକଙ୍କୁ ବୁଲାଇବା ବ୍ୟବସ୍ଥା ମଧ୍ୟ ଆରମ୍ଭ ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ପ୍ରତ୍ୟେକ ବୋଟ୍‌ରେ ୮ ଜଣ ଲେଖାଏ ବସିବାର ବ୍ୟବସ୍ଥା ରହିଛି। ଦୁଇଟି ବୋଟ୍‌କୁ ଇକୋଟୁରିଜମ ପାଇଁ ଦିଆଯାଇଛି। ଗୋଟିଏ ବୋଟ୍‌ ବୁକିଂ କରିବାକୁ ପର୍ଯ୍ୟଟକମାନଙ୍କୁ ୧୬ ଶହ ଟଙ୍କା ଦେବାକୁ ପଡିବ। ସେମାନେ ଗଣ୍ଡରେ ୪୫ ମିନିଟ୍‌ ବୁଲିବା ସହିତ ବିଦେଶୀ ପକ୍ଷୀ, ଘଡ଼ିଆଳ ଓ ମଗର କୁମ୍ଭୀର ଦେଖି ପାରିବେ। ବୋଟ୍‌ରେ ଲାଇଫ ଜ୍ୟାକେଟର ବ୍ୟବସ୍ଥା ଥିବାବେଳେ ସ୍ବତନ୍ତ୍ର ତାଲିମପ୍ରାପ୍ତ ଚାଳକଙ୍କୁ ନିଯୁକ୍ତି ସହିତ ଗାଇଡଙ୍କୁ ମଧ୍ୟ ସେବାରେ ରଖାଯାଇଛି। ସୂଚନାଯୋଗ୍ୟ ଯେ, ୨୦୧୮ ସେପ୍ଟେମ୍ବର ୧୨ରେ ବାଘୁଣୀ ସୁନ୍ଦରୀ ଆକ୍ରମଣରେ ଟିକରପଡା ପଞ୍ଚାୟତ ହାତିବାରି ଗ୍ରାମର କୈଳାସ ସାଏ (୫୦)ଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଉତ୍ତ୍ୟକ୍ତ ଲୋକେ ରେଞ୍ଜ କାର୍ଯ୍ୟାଳୟ, ବିଟ ଘର, ବନ ବିଭାଗ ବଙ୍ଗଳା ସହିତ ଗଣ୍ଡରେ ଥିବା ୫ଟି ବୋଟ୍‌କୁ ପୋଡ଼ି ଦେଇଥିଲେ। ସେବେଠାରୁ ଗଣ୍ଡରେ ପର୍ଯ୍ୟଟକମାନଙ୍କ ପାଇଁ ବୋଟ୍‌ରେ ବୁଲିବା ବ୍ୟବସ୍ଥା ବନ୍ଦ ହୋଇ ଯାଇଥିଲା।

 

Share