ଫେରୁଥିବା ରାଜ୍ୟରୁ ଅନୁମତି ଆଣିବା ବାଧ୍ୟତାମୂଳକ

ଭୁବନେଶ୍ୱର,୫ା୫(ବ୍ୟୁରୋ): ଯେଉଁ ରାଜ୍ୟରୁ ଲୋକମାନେ ଓଡ଼ିଶାକୁ ଫେରୁଛନ୍ତି ସେଠାରୁ ସେମାନେ ଅନୁମତିପତ୍ର ଆଣିବା ସହିତ ଯାନବାହନର ସମ୍ପୂର୍ଣ୍ଣ ବିବରଣୀ ରାଜ୍ୟ ସରକାରଙ୍କ କୋଭିଡ୍‌ ପୋର୍ଟାଲରେ ପଞ୍ଜୀକରଣ କରିବା ବାଧ୍ୟତାମୂଳକ କରାଯାଇଛି। ସୋମବାର ଗୀତଗୋବିନ୍ଦ ସଦନଠାରେ ଆୟୋଜିତ କୋଭିଡ୍‌-୧୯ ସମ୍ପର୍କିତ ଖବରଦାତା ସମ୍ମିଳନୀରେ ରାଜ୍ୟ ପରିବହନ କମିଶନର ସଞ୍ଜୀବ ପଣ୍ଡା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଅନ୍ୟ ରାଜ୍ୟରୁ ଫେରୁଥିବା ଲୋକମାନଙ୍କ ଯାନବାହନ ଓଡ଼ିଶାକୁ ପ୍ରବେଶ କରିବା ବେଳକୁ ୧୨ ନିର୍ଦ୍ଧାରିତ ସୀମା ଚେକ୍‌ ପଏଣ୍ଟ ଦେଇଯିବାକୁ ପଡ଼ିବ। ଆସୁଥିବା ରାଜ୍ୟରୁ ଯଦି କୌଣସି ଅନୁମତି ପତ୍ର ନ ଥିବ ତେବେ ସମ୍ପୃକ୍ତ ଯାନକୁ ରାଜ୍ୟରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ପଣ୍ଡା ସୂଚନା ଦେଇଛନ୍ତି। ବାହାର ରାଜ୍ୟ ଫେରନ୍ତାଙ୍କ ତଦାରଖ ପାଇଁ ରାଜ୍ୟ ସରକାର ଏକ ଓ୍ବେବ୍‌ ପୋର୍ଟାଲ ଖୋଲିଛନ୍ତି। ସରକାରୀ କର୍ମଚାରୀମାନେ ପଞ୍ଜୀକରଣ, ଯାନବାହନ ଏବଂ ଯାତ୍ରୀମାନଙ୍କ ସମସ୍ତ ବିଷୟକୁ ଭଲଭାବେ ଯାଞ୍ଚ କରିବେ। ଏହାପରେ ଲକ୍ଷ୍ୟସ୍ଥଳକୁ ଯିବା ପାଇଁ ସୀମା ଚେକ୍‌ ପୋଷ୍ଟରେ ଓଡ଼ିଶା ମଧ୍ୟରେ କେଉଁ ଜିଲା ଓ କେଉଁ ରାସ୍ତାରେ ଯିବେ ସେ ନେଇ ସମ୍ପୂର୍ଣ୍ଣ ବିବରଣୀ ଥିବା ଏକ ଅନୁମତିପତ୍ର ପ୍ରଦାନ କରାଯିବ। ବାହାର ରାଜ୍ୟ ଫେରନ୍ତାଙ୍କ ହାତରେ ଏକ ଅଲିଭା କାଳିରେ ଷ୍ଟାମ୍ପିଂ କରାଯିବ। ଯେଉଁମାନେ ଓଡ଼ିଶା ଆସିବାକୁ ଚାହୁଁଛନ୍ତି, ସମାନେ ପୂର୍ବରୁ ପଞ୍ଜୀକରଣ କରି ନେଲେ ସୀମାରେ ଥିବା ଚେକ୍‌ ପଏଣ୍ଟରେ ଅଯଥା ବିଳମ୍ବ ହେବ ନାହିଁ। ସୁବିଧାରେ ପହଞ୍ଚିବା ନେଇ ଜିଲାପାଳ ଓ ଏସ୍‌ପି ସମସ୍ତ ବ୍ୟବସ୍ଥା କରିବେ। ଗାଡ଼ି ଚାଳକମାନଙ୍କୁ ମଧ୍ୟ ପାସ୍‌ ଇସ୍ୟୁ କରାଯିବ। ସେମାନେ ପହଞ୍ଚିବା ସ୍ଥଳରେ ନୋଡାଲ ଅଫିସରଙ୍କୁ ସେହି ପାସ୍‌ ପ୍ରଦାନ କରିବେ। କୌଣସି ପ୍ରକାର ଓଭରଲୋଡ କିମ୍ବା ଦ୍ରୁତଗତିକୁ ଅନୁମତି ଦିଆଯିବ ନାହିଁ ବୋଲି ପରିବହନ କମିଶନର ସୂଚନା ଦେଇଛନ୍ତି।

Share