ଫେରୋକ୍ରୋମ ପ୍ଲାଣ୍ଟ ବନ୍ଦ ଯୋଗୁ ଶ୍ରମିକ ଅଶାନ୍ତି: ଆନ୍ଦୋଳନ ସଜବାଜ

ଯାଜପୁରରୋଡ,୨।୬(ନି.ପ୍ର)- ଯାଜପୁରରୋଡସ୍ଥିତ ଇଡକଲ ଫେରୋକ୍ରୋମ ଆଣ୍ଡ ଆଲଏଜ କାରଖାନା ଶୁକ୍ରବାର ମଧ୍ୟାହ୍ନ ପରଠାରୁ ବନ୍ଦ ହୋଇଯାଇଛି। ଫଳରେ ଯାଜପୁରରୋଡ ସମେତ ସମଗ୍ର ଜିଲାରେ ଆଲୋଡନ ସୃଷ୍ଟି ହୋଇଛି। ବିଭିନ୍ନ ମହଲରେ ଏ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି। କାରଖାନାର ବିଭିନ୍ନ ସାଇଟ୍‌ରେ କାର୍ଯ୍ୟ କରୁଥିବା ପ୍ରାୟ ୩୦୦ ଶ୍ରମିକଙ୍କୁ ଶନିବାର ସକାଳୁ ଗେଟ୍‌ ପାସ୍‌ ଦିଆଯାଇ ନ ଥିଲା କିମ୍ବା କାରଖାନା ଭିତରକୁ କାମ କରିବାକୁ ଛଡ଼ାଯାଇ ନ ଥିଲା। ଫଳରେ ବହୁ ଶ୍ରମିକ ଅସନ୍ତୋଷ ପ୍ରଦର୍ଶନ କରିବା ସହ ମନଦୁଃଖରେ ଘରକୁ ଫେରି ଯାଇଥିବାବେଳେ କାରଖାନା ସମ୍ମୁଖରେ କେତେଜଣ ଶ୍ରମିକ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିବା ପରିଲକ୍ଷିତ ହୋଇଥିଲା। କାରଖାନା ଓ ଉଚ୍ଚ କର୍ତ୍ତୃପକ୍ଷଙ୍କ ପରିଚାଳନାଗତ ତ୍ରୁଟି ଓ ଶହ ଶହ ଦୁର୍ନୀତିର ଫଳ ନୀରିହ ଶ୍ରମିକମାନେ କାହିଁକି ଭୋଗିବେ ବୋଲି ଶ୍ରମିକ ନେତା ତଥା ସାମାଜିକ କର୍ମୀ ଦୁଷ୍ମନ୍ତ ରାଉତ ପ୍ରଶ୍ନ କରିଛନ୍ତି। ଏହା ବିରୋଧରେ ଏକାଠି ହୋଇ ଆନ୍ଦୋଳନ କରିବା ପାଇଁ ରାଉତ ଆହ୍ବାନ ଦେଇଛନ୍ତି।

ସୂଚନା ଥାଉକି, ଏବେ କାରଖାନାର ୨ଟି ଜିଗିଂ ପ୍ଲାଣ୍ଟ ଚାଲୁ ରହିବ। ୧ ନମ୍ବର ଜିଗିଂ ପ୍ଲାଣ୍ଟକୁ କାରଖାନା କର୍ତ୍ତୃପକ୍ଷ ଶ୍ରମିକ ଲଗାଇ ଚଳାଉଥିବା ବେଳେ ୨ ନମ୍ବରକୁ ଠିକାଦାରଙ୍କ ଜରିଆରେ ଚଳାଉଛନ୍ତି। ଏହି ୨ଟିରେ ମାତ୍ର ୩୦ରୁ ୪୦ ଜଣ ଶ୍ରମିକ କାମ କରୁଛନ୍ତି। ଜିଗିଂ ପ୍ଲାଣ୍ଟ ଚାଲିଲେ କାରଖାନା ମାସିକ ୩୦ଲକ୍ଷ ପାଖାପାଖି ଲାଭ କରିବ। ତେବେ କାରଖାନାର ୨ଟି ଫର୍ନେସ ଶୁକ୍ରବାରଠାରୁ ବନ୍ଦ ହୋଇଥିବାରୁ ମାସିକ ୧କୋଟି ୩୦ଲକ୍ଷ ସ୍ଥାୟୀ ଖର୍ଚ୍ଚରୁ ଜିଗିଂ ପ୍ଲାଣ୍ଟ ଦ୍ୱାରା ୩୦ଲକ୍ଷ ଭରଣା ହେବା ସହ ମାସିକ ୧କୋଟି କ୍ଷତି ସହିବା ନିଶ୍ଚିତ ହୋଇଛି।