ଫେଲ୍‌ ମାରିବା ପରେ ବଦଳିଲା ସର୍ବକ୍ଷମା ଯୋଜନା: ଅଧିକ ଲୋକଙ୍କୁ ସାମିଲ କରିବାକୁ ଲକ୍ଷ୍ୟ

ଭୁବନେଶ୍ୱର, ୮ା୮(ବ୍ୟୁରୋ): ସହରରେ ଘର କରିବାକୁ ହେଲେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କିମ୍ବା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ଠାରୁ ଅନୁମତି ନେବାକୁ ପଡ଼ିବ। ଯଦି ଘରଟି ବେନିୟମ ଭାବେ ନିର୍ମିତ ହୋଇଥାଏ ତାହା ହେଲେ ପରବର୍ତ୍ତୀ ସମୟରେ ତାହାକୁ ବିଡିଏ କିମ୍ବା ବିଏମ୍‌ସିର ଅନୁମୋଦନ କରିବା ଆବଶ୍ୟକ। ଯଦି ଅନୁମୋଦନ ନ ମିଳେ ତାହା ହେଲେ ତା’କୁ ଭଙ୍ଗାଯାଏ। ତେବେ ବିଏମ୍‌ସି, ବିଡିଏ କର୍ତ୍ତୃପକ୍ଷଙ୍କଠାରୁ ପ୍ଲାନ ନେଇ ଘର ନିର୍ମାଣ କରୁଥିବା ଲୋକଙ୍କ ଉପରେ ମାତ୍ରାଧିକ ବୋଝ ଲଦି ଦିଆଯାଉଛି। ଫଳରେ ଲୋକମାନେ ଏବେ ବିଡିଏ କିମ୍ବା ବିଏମ୍‌ସି କର୍ତ୍ତୃପଙ୍କଠାରୁ ପ୍ଲାନ ନ ନେଇ ମୁହଁ ଫେରାଉଛନ୍ତି। ଫଳରେ ବେଆଇନ ନିର୍ମାଣକୁ ନିୟମିତ କରିବା ଯୋଜନା-୨୦୧୮ ବା ସର୍ବକ୍ଷମା ଯୋଜନା ୨୦୧୮ ଫେଲ ମାରିଥିଲା। ବିଡିଏ ଓ ବିଏମ୍‌ସି ଅଧିକାରୀ ଲୋକଙ୍କୁ ସହଯୋଗ କରୁ ନ ଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡ଼ିଥିବା ବେଳେ ଏବେ ରାଜ୍ୟ ସରକାର ଏଥିରେ ବହୁ ମାତ୍ରାରେ ସଂଶୋଧନ ଆଣି ବେଆଇନ ନିର୍ମାଣକୁ ନିୟମିତ କରିବା ଯୋଜନା-୨୦୧୯ ବା ନୂଆ ସର୍ବକ୍ଷମା ଯୋଜନା ଆଣିଛନ୍ତି।
ଗତ ୬ ତାରିଖ ଦିନ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ୬ ମାସ ମଧ୍ୟରେ ରାଜ୍ୟର ୯ଟି ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଞ୍ଚଳର ଲୋକମାନେ ଏହି ଯୋଜନାରେ ଆବେଦନ କରିପାରିବେ ବୋଲି ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। ଗଢ଼ି ଉଠିଥିବା ବେଆଇନ ନିର୍ମାଣକୁ ଆଇନସମ୍ମତ କରାଇବାକୁ ପୂର୍ବ ଯୋଜନାକୁ ସଂଶୋଧିତ କରି ଏହି ନୂଆ ବିଜ୍ଞପ୍ତିକୁ ପ୍ରକାଶ କରାଯାଇଛି। ପୂର୍ବ ଯୋଜନାରେ ପୂର୍ବାପେକ୍ଷା ଆବେଦନ ହୋଇ ନ ଥିବାରୁ ଏହାକୁ ସଂଶୋଧିତ କରାଯାଇଛି ବୋଲି ବିଭାଗୀୟ କର୍ତ୍ତୃପକ୍ଷ ଜଣାଇଛନ୍ତି। ଅଧିକରୁ ଅଧିକ ଲୋକ ଯେପରି ସର୍ବକ୍ଷମା ଯୋଜନାରେ ସାମିଲ ହେବେ ସେଭଳି ଏହାକୁ ପ୍ରସ୍ତୁତ କରାଯାଇଛି। ଆବାସିକ ଘର, ବ୍ୟବସାୟିକ ଘର ଆଦିର ପାର୍କିଂ, କମ୍ପାଉଣ୍ଡିଂ ଚାର୍ଜ ଆଦିରେ କୋହଳ କରି ନୂଆ ବିଜ୍ଞପ୍ତି ପ୍ରକାଶ ପାଇଛି।

Share