Categories: ଖେଳ

ଫେସ୍‌ବୁକ୍‌ଠାରୁ କାହିଁକି ଦୂରରେ ଭୁବନେଶ୍ୱର କୁମାର

ନୂଆଦିଲ୍ଲୀ, ୨୩।୩- ଭାରତୀୟ କ୍ରିକେଟ୍‌ ଦଳର ସୁଇଂ କିଙ୍ଗ୍‌ ଭାବେ ପରିଚିତ ଭୁବନେଶ୍ୱର କୁମାର ସୋସିଆଲ ମିଡିଆ ଫେସ୍‌ବୁକ୍‌ଠାରୁ ନିଜକୁ କାହିଁକି ଦୂରେଇ ରଖିଛନ୍ତି, ଏହାର ଉନ୍ମୋଚନ ସେ ନିଜେ କରିଛନ୍ତି। ‘ସ୍ପାଇସ୍‌ ପିଚ୍‌’ ନାମକ ଏକ କାର୍ଯ୍ୟକ୍ରମ ଅବସରରେ ଭୁବନେଶ୍ୱର କହିଛନ୍ତି, ତାଙ୍କ ସ୍ତ୍ରୀ (ନୁପୂର ନାଗର) ଦିନେ ଫେସ୍‌ବୁକ୍‌ ପାସ୍‌ଓ୍ବାର୍ଡ ମାଗିଥିଲେ। କିନ୍ତୁ ସେ କୌଣସି ବାହାନା କରି ଏହାକୁ ଏଡ଼ାଇ ଯାଇଥିଲେ। ତେବେ ପରଦିନ ନୁପୂର ମୋ ଫେସ୍‌ବୁକ୍‌ ଆକାଉଣ୍ଟର ନୂଆ ପାସ୍‌ଓ୍ବାର୍ଡ ମୋତେ ଦେଇଥିଲେ। ମୋ ଫେସ୍‌ବୁକ୍‌ ଆକାଉଣ୍ଟକୁ ସେ ହ୍ୟାକ୍‌ କରି ଦେଇଥିବା ଜାଣିଥିଲି। ଏହା ପରଠାରୁ ଆଉ କେବେ ମଧ୍ୟ ଫେସ୍‌ବୁକ୍‌ ବ୍ୟବହାର କରି ନାହିଁ ବୋଲି ଭାରତୀୟ ଦଳର ଏହି ନିର୍ଭରଯୋଗ୍ୟ ଦ୍ରୁତ ବୋଲର୍‌ କହିଛନ୍ତି। ଭୁବନେଶ୍ୱର ୨୦୧୭ ନଭେମ୍ବରରେ ଦୀର୍ଘ ଦିନର ବାନ୍ଧବୀ ନୁପୂରଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଉଲ୍ଲେଖଯୋଗ୍ୟ, ଦିନିକିଆ କ୍ରିକେଟ୍‌ରେ ପ୍ରଥମ ଭାରତୀୟ ବୋଲର ଭାବେ ଭୁବନେଶ୍ୱର ପଦାର୍ପଣ ମ୍ୟାଚ୍‌ର ପ୍ରଥମ ବଲ୍‌ରେ ଉଇକେଟ୍‌ ହାସଲ କରିଥିଲେ। ପାକିସ୍ତାନ ଓପନିଂ ବ୍ୟାଟ୍ସମ୍ୟାନ ମହମ୍ମଦ ହାଫିଜ ତାଙ୍କ ଶିକାର ବନିଥିଲେ। ସେହିଭଳି ପ୍ରଥମ ଭାରତୀୟ ବୋଲର ଭାବେ ସେ କ୍ରିକେଟ୍‌ର ୩ଟି ଯାକ ଫର୍ମାଟ୍‌ରେ ୫ ଉଇକେଟ୍‌ ହାସଲ କରିବାର ବିରଳ କୃତିତ୍ୱ ଲାଭ କରିଛନ୍ତି। କରୋନା ଭାଇରସ୍‌ର ମୁକାବିଲା କରିବା ପାଇଁ ପ୍ରତିକାର ସ୍ବରୂପ ରାଜ୍ୟର ସମସ୍ତ ନାଗରିକଙ୍କୁ ଘର ମଧ୍ୟରେ ରହିବାକୁ ଉତ୍ତର ପ୍ରଦେଶ ସରକାର ପରାମର୍ଶ ଦେଇଛନ୍ତି। ଏହି କାରଣରୁ ମିରଟ୍‌ ଜନ୍ମିତ ଭୁବନେଶ୍ୱର ବର୍ତ୍ତମାନ ଘରେ ପରିବାର ଗହଣରେ ସମୟ ଅତିବାହିତ କରୁଛନ୍ତି।

Share