ଫେସ୍‌ବୁକ୍‌, ଗୁଗଲରେ ବିଜ୍ଞାପନ;ରାଜନୈତିକ ଦଳ ଖର୍ଚ୍ଚ କରିଛନ୍ତି ୫୩ କୋଟି

ନୂଆଦିଲ୍ଲୀ,୨୦-୫: ଦେଶର ରାଜନୈତିକ ଦଳଗୁଡ଼ିକ ଚଳିତ ବର୍ଷ ଫେବୃୟାରୀରୁ ଅଦ୍ୟାବଧି ଫେସ୍‌ବୁକ୍‌ ଓ ଗୁଗଲ ଆଦି ସୋସିଆଲ ମିଡିଆରେ ନିଜର ପ୍ରଚାର ପାଇଁ ୫୩ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ଏମାନଙ୍କ ମଧ୍ୟରେ ଶାସକ ଦଳ ଭାଜପା ସର୍ବାଗ୍ରେ ରହିଛି। ଫେସ୍‌ବୁକ୍‌ ବିଜ୍ଞାପନ ରିପୋର୍ଟରୁ ଜଣାପଡିଛି ଯେ, ଫେବୃୟାରୀରୁ ମେ ୧୫ ସୁଦ୍ଧା ଏହାର ମଞ୍ଚରେ ୧.୨୧ ଲକ୍ଷ ରାଜନୈତିକ ବିଜ୍ଞାପନ ଦିଆଯାଇଥିଲା। ଏହିସବୁ ବିଜ୍ଞାପନରେ ରାଜନୈତିକ ଦଳଗୁଡ଼ିକ ୨୬.୫ କୋଟି ଟଙ୍କା ବ୍ୟୟ କରିଛନ୍ତି। ଏଭଳି ଭାବେ ଗୁଗଲ, ୟୁଟ୍ୟୁବ୍‌ ଏବଂ ଏହାର ସହାୟକ କମ୍ପାନୀଗୁଡ଼ିକରେ ୧୯ ଫେବୃୟାରୀରୁ ଅଦ୍ୟାବଧି ୧୪,୮୩୭ ବିଜ୍ଞାପନ ବାବଦରେ ରାଜନୈତିକ ଦଳଗୁଡ଼ିକ ୨୭.୩୬ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଶାସକ ଦଳ ଭାଜପା ଫେସ୍‌ବୁକ୍‌ରେ ୨୫୦୦ରୁ ଅଧିକ ବିଜ୍ଞାପନ ବାବଦରେ ୪.୨୩ କୋଟି ଟଙ୍କା ବ୍ୟୟ କରିଛି। ସେହିପରି ଗୁଗଲ ମଞ୍ଚରେ ଏହି ଦଳ ୧୭ କୋଟି ଟଙ୍କା ବ୍ୟୟ କରିଥିବା ବେଳେ କଂଗ୍ରେସ ଫେସ୍‌ବୁକ୍‌ରେ ୩,୬୮୬ ବିଜ୍ଞାପନ ବାବଦରେ ୧.୪୬ କୋଟି ଟଙ୍କା, ଗୁଗଲରେ ୪୨୫ ବିଜ୍ଞାପନ ବାବଦରେ ୨.୭୧ କୋଟି ଟଙ୍କା ବ୍ୟୟ କରିଛି। ସେହିପରି ତୃଣମୂଳ କଂଗ୍ରେସ ଫେସ୍‌ବୁକ୍‌ରେ ୨୯.୨୮ ଲକ୍ଷ ଟଙ୍କା, ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ୧୩.୬୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି।

Share