ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ବିକ୍ଷୋଭ: ପୋଲିସ ଗୁଳିରେ ୪ ମୃତ, ୫୦ ଆହତ

ଢାକା,୨୧ା୧୦: ମୁସ୍‌ଲିମ ବହୁଳ ବାଂଲାଦେଶର ଭୋଲା ଜିଲାରେ ଏକ ଆପତ୍ତିଜନକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ରବିବାର ଦୁଇ ସମ୍ପ୍ରଦାୟ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଏହାକୁ ନେଇ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ବିକ୍ଷୋଭ ଚାଲିଥିବାବେଳେ ପୋଲିସ ଗୁଳିରେ ୪ ମୃତ ଓ ୫୦ ଆହତ ହୋଇଛନ୍ତି। ପୋଷ୍ଟ କରିଥିବା ହିନ୍ଦୁ ଯୁବକଙ୍କୁ ପୋଲିସ ହାଜତରେ ରଖିଛି। ସେ ଅଭିଯୋଗକୁ ଖଣ୍ଡନ କରିବା ସହ ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ ହ୍ୟାକ୍‌ କରାଯାଇଥିବା ନେଇ ଥାନାରେ ଏତଲା ଦେଇଛନ୍ତି। ଆକାଉଣ୍ଟ ହ୍ୟାକ୍‌ କରିବା ଅଭିଯୋଗରେ ପୋଲିସ ଅନ୍ୟ ୩ ଜଣଙ୍କୁ ଅଟକ ରଖିଛି।
ସୂଚନାନୁସାରେ ଜଣେ ହିନ୍ଦୁ ଯୁବକ ଶୁକ୍ରବାର ଫେସ୍‌ବୁକ୍‌ରେ ଏକ ପୋଷ୍ଟିଂ କରିଥିଲେ। ଏଥିରେ ସେ ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦେଇଥିବା ଅଭିଯୋଗ ହୋଇଥିଲା। ପୋଷ୍ଟଟି ଭାଇରାଲ ହେବା ପରେ ଚାର୍‌ ବୋହରୁଦ୍ଦିନ ଅଞ୍ଚଳରେ ଉତ୍ତେଜନା ବଢ଼ିବାରେ ଲାଗିବାରୁ ରବିବାର ସକାଳେ ଶାନ୍ତି ଉଦ୍ୟମ ହୋଇଥିଲା। ତାହା ବିଫଳ ହେବା ପରେ ‘ମୁସ୍‌ଲିମ ତଓ୍ବହିଦି ଜନତା’ ସଙ୍ଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିକ୍ଷୋଭରେ ହଜାର ହଜାର ଲୋକ ସାମିଲ ହୋଇ ସୁରକ୍ଷା ବଳକୁ ଟାର୍ଗେଟ କରିଥିଲେ। ପୋଲିସ ସେମାନଙ୍କୁ ଘଉଡ଼ାଇବାକୁ ଯାଇ ବଳ ପ୍ରୟୋଗ କରିଥିଲା। ସୁରକ୍ଷା ବଳର ଗୁଳିମାଡ଼ରେ ୪ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଛି। ୫୦ ଆହତଙ୍କ ମଧ୍ୟରେ ଅନେକ ପୋଲିସ କର୍ମୀ ମଧ୍ୟ ଅଛନ୍ତି। ପୋଲିସ ଆମତ୍ରକ୍ଷା ପାଇଁ ଗୁଳି ଚଳାଇଥିବା ଭୋଲା ଏସ୍‌ପି ସର୍କାର ମହମ୍ମଦ କାଇସର ସୂଚନା ଦେଇଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ଅର୍ଦ୍ଧସାମରିକ ବଳ ବର୍ଡର ଗାର୍ଡ ବାଂଲାଦେଶ (ବିଜିବି)କୁ ମୁତୟନ କରାଯାଇଛି।

Share