Categories: ଜାତୀୟ

ଫେସ୍‌ବୁକ୍‌ ବନ୍ଧୁତା ମହଙ୍ଗା ପଡ଼ିଲା: ଯବାନଙ୍କଠାରୁ ଦେଶର ଗୁପ୍ତ ତଥ୍ୟ ସଂଗ୍ରହ କରିନେଲେ ମହିଳା

ପାଟନା,୨୩।୧୦: ବିହାର ଦାନାପୁରରେ ଜଣେ ଯବାନଙ୍କଠାରୁ ଦେଶର ବହୁ ଗୁପ୍ତ ତଥ୍ୟ ଜଣେ ମହିଳା ସଂଗ୍ରହ କରିନେଇଛନ୍ତି। ଦାନାପୁରରେ ମୁତୟନ ଥିବା ଯବାନ୍‌ ସୁରଜିତ୍‌ ସିଂ ଝାଡ଼ଖଣ୍ଡର ଜଣେ ମହିଳାଙ୍କ ସହିତ ଫେସ୍‌ବୁକ୍‌ରେ ବନ୍ଧୁତା କରିଥିଲେ। ଚାଟିଂରୁ ଫୋନ୍‌ ଏବଂ ପରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥିଲା। ମହିଳା ଜଣକ ଚାଲାକି କରି ଦେଶର ବହୁ ଗୁପ୍ତ ତଥ୍ୟ ସମ୍ପର୍କରେ ଯବାନକୁ ପଚାରି ଥିଲେ। ଯବାନ ଜଣଙ୍କ ମହିଳାଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଉଥିଲେ। ତେବେ ମହିଳା ଜଣକଙ୍କ ବ୍ୟବହାରରେ କିଛି ଅସ୍ବାଭାବିକତା ଲକ୍ଷ କରି ଯବାନ ଜଣକ ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ପରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଘଟଣାର ଯାଞ୍ଚ୍‌ ଆରମ୍ଭ ହୋଇଛି। ଆର୍ମି ଇଣ୍ଟେଲଜେନ୍ସ ଟିମ୍‌ ପକ୍ଷରୁ ଅଭିଯୁକ୍ତ ଯବାନଙ୍କୁ ପଚରାଉଚରା କରାଯାଉଛି। ତାଙ୍କ ବିରୋଧରେ କୋର୍ଟ ଅଫ୍‌ ଇନକ୍ୱାରୀ ଅଣାଯାଇଛି। ମହିଳା ଜଣଙ୍କ ଚାଲାକି କରି ସୁରଜିତ୍‌ଙ୍କ ଠାରୁ ବିଭିନ୍ନ ଗୁପ୍ତ ତଥ୍ୟ ସମ୍ପର୍କରେ ପଚାରି ହାସଲ କରିଥିବା କୁହାଯାଉଛି। ମହିଳା ଜଣଙ୍କ ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହିତ ଯୋଗାଯୋଗରେ ରହିଥିବା ଆଶଙ୍କା କରାଯାଉଛି।

Share