ଫେସ୍‌ ଆପ୍‌ର ଚମତ୍କାରିତା: ୩ବର୍ଷ ବୟସରେ ଅପହରଣ ହୋଇଥିବା ଶିଶୁ ମିଳିଲେ ୧୮ବର୍ଷ ପରେ

ବେଜିଂ,୨୦।୭: ଆଜିକାଲି ସୋସିଆଲ ମିଡିଆରେ ନିଜର ବୃଦ୍ଧାବସ୍ଥାରେ କେମିତି ଦେଖାଯିବେ ସେନେଇ ଏକ ଟ୍ରେଣ୍ଡ ଚାଲିଛି। ସମେସ୍ତ ଫେସ୍‌ଆପ୍‌ ବ୍ୟବହାର କରି ବୃଦ୍ଧାବସ୍ଥାର ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଛନ୍ତି। ତେବେ ଚାଇନାରେ ଏହି ଆପ୍‌ ଯୋଗୁ ଗୋଟିଏ ପରିବାରର ଭାଗ୍ୟ ବଦଳିଯାଇଛି। ସୂଚନାଯୋଗ୍ୟ, ଉକ୍ତ ସହରରେ ରହୁଥିବା ଗୋଟିଏ ପରିବାରକୁ ଦୁଇ ଦଶକ ପରେ ତାଙ୍କର ସନ୍ତାନ ମିଳିଛି। ଯୁବକ ୟୁ ଓ୍ବିଫେଙ୍ଗ ୩ବର୍ଷର ହୋଇଥିବା ବେଳେ କେହି ତାଙ୍କୁ ଅପହରଣ କରିନେଇଥିଲେ। ଏହାପରେ ପୋଲିସ ତାଙ୍କୁ ଖୋଜିବା ପାଇଁ ଉଦ୍ୟମ ଚଳାଇଥିବା ବେଳେ ସେ ମିଳି ନ ଥିଲେ। ହେଲେ ପରିବାର ଲୋକେ ପୁଅ ମିଳିବା ନେଇ ଆଶା ଛାଡି ନ ଥିଲେ। ଏବେ ଏହି ଆପ୍‌ ଆସିବା ପରେ ପୋଲିସର ମୁଣ୍ଡକୁ ଏକ ବିଚାର ଆସିଥିଲା। ଯୁବକ ଜଣଙ୍କ ଯେତେବେଳେ ୩ବର୍ଷର ଥିଲେ ସେହି ପୁରୁଣା ଫଟୋକୁ ନେଇ ଏହି ଆପ୍‌ ଦ୍ୱାରା ଏବେ ସେ କିଭଳି ଦେଖାଯାଉଥିବେ ପୋଲିସ ପରୀକ୍ଷା କରିଥିଲା। ଏହି ସଫ୍ଟଓ୍ବେୟାର ଦ୍ୱାରା ପ୍ରାୟ ୧୦୦ଜଣ ଲୋକଙ୍କ ମଧ୍ୟରୁ ଓ୍ବିଫେଙ୍ଗର ପତ୍ତା ମିଳିଥିଲା। ସେ ଏବେ କଲେଜରେ ପାଠପଢ଼ୁଥିବା ବେଳେ ଅନ୍ୟଜଣେ ଦମ୍ପତି ତାଙ୍କୁ ପାଳିଥିବା ଜଣାପଡ଼ିଛି। ପ୍ରଥମେ ସେ ନିଜେ ଅପହରଣ ହୋଇଥିବା କଥାକୁ ମାନି ନ ଥିବା ବେଳେ ପରେ ଓ୍ବିଫେଙ୍ଗ ଓ ତାଙ୍କ ଅଭିଭାବକଙ୍କ ଡିଏନଏ ଟେଷ୍ଟ କରାଯାଇଥିଲା। ଡିଏନଏ ପରୀକ୍ଷା ପରେ ତାଙ୍କ ପରିବାର ଲୋକେ ହଜିଯାଇଥିବା ପିଲାକୁ ପାଇଥିଲେ। ଏହାପରେ ଉକ୍ତ ପରିବାର ପାଳିତ ଅଭିଭାବକଙ୍କୁ ଧନ୍ୟବାଦ ଦେଇଥିଲେ। ଚାଇନାର ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Share