ଫୋର୍ବ୍ସ୍‌ ଇଣ୍ଡିଆ ପକ୍ଷରୁ ପ୍ରକାଶ ପାଇଲା ଧନଶାଳୀଙ୍କ ତାଲିକା: ପୁଣି ବାଜି ମାରିଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ,୧୧।୧୦: ଫୋବର୍‌ସ ଇଣ୍ଡିଆ ୨୦୧୯ ପକ୍ଷରୁ ଭାରତର ସବୁଠାରୁ ଧନଶାଳୀ ବ୍ୟକ୍ତିଙ୍କ ନୂଆ ତାଲିକା ପ୍ରକାଶ ପାଇଛି। ଭାରତର ଟପ୍‌ ଶହେରେ ଥିବା ବ୍ୟକ୍ତିଙ୍କ ତାଲିକାରେ ପୁଣି ଥରେ ବାଜି ମାରିନେଇଛନ୍ତି ରିଲାଏନ୍ସ କମ୍ପାନୀର ମାଲିକ ମୁକେଶ ଅମ୍ବାନୀ। ଲଗାତର ୧୨ ବର୍ଷରୁ ଧନଶାଳୀଙ୍କ ଏହି ତାଲିକାରେ ମୁକେଶ ଅମ୍ବାନୀ ପ୍ରଥମ ସ୍ଥାନରେ ରହିଛନ୍ତି। ଚଳିତ ବର୍ଷ ତାଙ୍କ ବ୍ୟବସାୟ ଆୟ ୨୮.୪(୪ ମିଲିୟନ ଡଲାର) କୋଟି ଟଙ୍କା ବୃଦ୍ଧି ପାଇଥିବା ବେଳେ ପ୍ରାୟ ୩.୬୪ଲକ୍ଷ କୋଟି ଟଙ୍କା(୫୧.୪ ବିଲିୟନ)ସମ୍ପତ୍ତିର ମାଲିକ ହେବା ସହ ସେ ନିଜ ସ୍ଥାନ ବଜାୟ ରଖିଛନ୍ତି। ଏହି ତାଲିକାରେ ଗୌତମ ଆଦାନୀ ପ୍ରାୟ ୧.୧୧ ଲକ୍ଷ କୋଟି ଟଙ୍କା (୧୫୭୦ କୋଟି ଡଲାର) ଆୟ କରି ୮ମରୁ ଡେଇଁ ଦ୍ୱିତୀୟ ସ୍ଥାନ ଅକ୍ତିଆର କରିଛନ୍ତି। ସେହିପରି ହିନ୍ଦୁଜା ବ୍ରଦର୍ସ ପ୍ରାୟ ୧.୧୦ଲକ୍ଷ କୋଟି ଟଙ୍କା (୧୫୬୦ କୋଟି ଡଲାର) ଆୟ କରି ତୃତୀୟ ସ୍ଥାନରେ ରହିଥିବା ବେଳେ ପି. ମିସ୍ତ୍ରୀ ପ୍ରାୟ ୧.୦୬ଲକ୍ଷ କୋଟି ଟଙ୍କା(୧୫୦୦କୋଟି ଡଲାର) ଆୟ କରି ଚତୁର୍ଥ ସ୍ଥାନରେ ରହିଛନ୍ତି। ପ୍ରଥମ ଥର ପାଇଁ ୫ମ ସ୍ଥାନରେ ଉଦୟ କୋଟକ ନିଜର ସ୍ଥାନ ବନାଇପାରିଛନ୍ତି। ଷଷ୍ଠରେ ଶିବ ନାଡର ଥିବା ବେଳେ ସପ୍ତମରେ ରାଧାକୃଷ୍ଣ ଦମାନୀ ଓ ଅଷ୍ଟମରେ ଗୋଦରେଜ୍‌ ଫ୍ୟାମିଲି ରହିଛନ୍ତି। ଅନ୍ୟପଟେ ଷ୍ଟିଲ୍‌ ନିର୍ମାଣ କମ୍ପାନୀ ଆର୍ସେଲରର ମାଲିକ ଲକ୍ଷ୍ମୀ ମିତ୍ତଲ ଏହି ତାଲିକାରେ ତଳକୁ ଖସିଯାଇଛନ୍ତି। ଗତ ବର୍ଷ ଏହି ତାଲିକାରେ ସେ ତୃତୀୟ ସ୍ଥାନରେ ରହିଥିବା ବେଳେ ଚଳିତ ଥର ୯ମ ସ୍ଥାନରେ ରହିଛନ୍ତି। ଷ୍ଟିଲର ଦର ହ୍ରାସ ଓ ମାନ୍ଦାବସ୍ଥା ଯୋଗୁ ଏଭଳି ହୋଇଥିବା ଫୋବର୍‌ସ ଇଣ୍ଡିଆ ପକ୍ଷରୁ କୁହାଯାଇଛି। ସେହିପରି କୁମାରମଙ୍ଗଳମ୍‌ ବିର୍ଲା ପ୍ରାୟ ୬୮,୧୬୦ କୋଟି ଟଙ୍କା (୯୬୦କୋଟି ଡଲାର) ଆୟ କରି ସେ ଦଶମ ସ୍ଥାନରେ ରହିଥିବା ଜଣାପଡ଼ିଛି।

Share