ଫୋର୍ବସ ଅଣ୍ଡର୍‌-୩୦ରେ ଉମଙ୍ଗ

ଇନ୍ଦୋର: ଆଧୁନିକତା ମଧ୍ୟରେ ଗାନ୍ଧୀଙ୍କ ଚିନ୍ତାଧାରାକୁ ପୁଣି ଲେଉଟାଇ ଆଣିବାରେ ମଙ୍ଗ ଧରିଥିବା ଉମଙ୍ଗ ଶ୍ରୀଧରଙ୍କ ଉଦ୍ୟମ ବେଶ୍‌ ପ୍ରଶଂସନୀୟ। ଉମଙ୍ଗ ଓ ତାଙ୍କ ଷ୍ଟାର୍ଟଅପ୍‌ ଡିଜିଟାଲ୍‌ ପ୍ରିଣ୍ଟ୍‌ର ଖଦି ବସ୍ତ୍ରକୁ କୁଟୀରଶିଳ୍ପରୁ ବିଶ୍ୱ ବଜାରରେ ପହଞ୍ଚାଇ ଦେଇଛନ୍ତି। କେବଳ ଏତିକି ନୁହେଁ ଗାନ୍ଧିଜୀ ଯେଉଁ ଗ୍ରାମ ସ୍ବରାଜ, କୁଟୀରଶିଳ୍ପ ଓ ନାରୀ ସଶକ୍ତୀକରଣର ସ୍ଲୋଗାନ୍‌ ଦେଇଥିଲେ ତାହାକୁ ଉମଙ୍ଗ ସାକାର କରିଛନ୍ତି ଓ ଆଗକୁ ନେବାରେ ସଫଳ ହୋଇଛନ୍ତି। ଉମଙ୍ଗ ଚମ୍ବଲ-ନର୍ମଦା କୂଳରେ ଥିବା ଏକ ପଛୁଆ ଗାଁର ଶହ ଶହ ମହିଳାଙ୍କୁ ହାତରେ ଚରଖା ଧରାଇ ସ୍ବାବଲମ୍ବୀ କରାଇପାରିଛନ୍ତି। ମଧ୍ୟପ୍ରଦେଶ ଇନ୍ଦୋରର ଏକ ଛୋଟ ଗାଁ କିଷନଗଞ୍ଜ। ଏହି ଗାଁରେ ଜନ୍ମିତ ଉମଙ୍ଗ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ସ୍ନାତକ କରିବା ପରେ ୨୦୧୩ରେ ଏକ ଷ୍ଟାର୍ଟଅପ୍‌ ଆରମ୍ଭ କରିଥିଲେ। ପରେ ମଧ୍ୟପ୍ରଦେଶର ଜାବରାସ୍ଥିତ ଗାନ୍ଧୀ ସେବା ଆଶ୍ରମରେ ଏହାକୁ ନେଇ ୨୫୦ ଜଣ ମହିଳାଙ୍କୁ ନିଯୁକ୍ତି ଦେଇଥିଲେ। ଆଧୁନିକତା ପ୍ରଭାବରେ ଲୁପ୍ତ ହୋଇଯାଉଥିବା ଖଦିକୁ ବଞ୍ଚାଇ ରଖିବା ଲାଗି ସେ ଏହି ‘ଖାଡିଜି ’ବା ଖଦି ଡିଜିଟାଲ ଆରମ୍ଭ କରିଛନ୍ତି। ୨୦୨୦ ସୁଦ୍ଧା ଉମଙ୍ଗ ମଧ୍ୟପ୍ରଦେଶରେ ୧୦ଟି କେନ୍ଦ୍ର ସ୍ଥାପନ କରିବାର ମଧ୍ୟ ଯୋଜନା ରଖିଛନ୍ତି। ମହାରାଷ୍ଟ ଓ ପଶ୍ଚିମବଙ୍ଗରେ ବି କିଛି କେନ୍ଦ୍ର କାମ କରୁଛି। ଦୁଇ ବର୍ଷ ତଳେ ଏହି କମ୍ପାନୀରେ କାର୍ଯ୍ୟ କରୁଥିବା ମହିଳାଙ୍କ ମାସିକ ରୋଜଗାର ୪ ହଜାର ଥିଲା ଓ ଏବେ ଏହା ୧୫ ହଜାରରେ ପହଞ୍ଚିଛି । ପ୍ରତିଷ୍ଠିତ ଫୋର୍ବସ ମାଗାଜିନ୍‌ ୩୦ ବର୍ଷ ବୟସରୁ କମ୍‌ ଆଚିଭର୍ସଙ୍କ ତାଲିକାରେ ଉମଙ୍ଗଙ୍କୁ ସ୍ଥାନ ଦେଇଛି।

Share