ଫ୍ରାନ୍ସରେ ଖୋଲିଲା ବର୍ଡର, ବାର, କାଫେ, ସ୍କୁଲ

ପ୍ୟାରିସ,୧୬।୬: କରୋନା ଭାଇରସ୍‌ ମହାମାରୀ ସାରା ବିଶ୍ୱକୁ ଏକ ଆହ୍ବାନ ଦେଇଛି, ଯେଉଁଥିରୁ ମୁକୁଳିବା ପାଇଁ କୌଣସି ଦେଶ ଏଯାଏଁ ସଫଳ ହୋଇପାରିନାହାନ୍ତି। ପରିସ୍ଥିତି ଏପରି ହୋଇଛି ଯେ, ମାସ ମାସ ଧରି ଚାଲିଆସୁଥିବା ଲକ୍‌ଡାଉନ ଯୋଗୁ ସମସ୍ତଙ୍କ ଜୀବିକାରେ ସଙ୍କଟ ଦେଖାଦେଇଛି। ତେଣୁ ଏହି ମାରାତ୍ମକ ଭାଇରସ୍‌ର ବିପଦ ସହ ପୁଣିଥର ନୂଆ ଜୀବନ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ୟୁରୋପର ସବୁଠାରୁ ଅତ୍ୟଧିକ କରୋନା ପ୍ରଭାବିତ ଦେଶ ମଧ୍ୟରେ ସାମିଲ ଥିବା ପ୍ରାନ୍ସ ଏବେ ନିଜ ଦେଶରେ ଲକ୍‌ଡାଉନ ଖୋଲିବାକୁ ଘୋଷଣା କରିଛି। ପ୍ରାୟ ୩ମାସ ପରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଦେଶର ସୀମାଠାରୁ ଆରମ୍ଭ କରି ରେଷ୍ଟୁରାଣ୍ଟ, କାଫେ, ବାର ଓ ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଫ୍ରାନ୍ସରେ କରୋନା ଭାଇରସ୍‌ର ବିସ୍ତାର ଯଥେଷ୍ଟ ହ୍ରାସ ଘଟିଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଜୁନ ୨୨ରୁ ପ୍ରାଇମେରି ଓ ପ୍ରାଥମିକ ଉଚ୍ଚ ବିଦ୍ୟାଳୟକୁ ଖୋଲିବା ପାଇଁ କୁହାଯାଇଛି। ସେହିପରି ବର୍ଡର ଖୋଲାଯିବା ପରେ ଜୁଲାଇ ୧ରୁ ଅନ୍ୟଦେଶର ଲୋକଙ୍କୁ ଫ୍ରାନ୍ସକୁ ଆସିବାକୁ ଅନୁମତି ମିଳିବ। କିନ୍ତୁ ବ୍ରିଟେନ ଓ ସ୍ପେନ ଯାତ୍ରୀଙ୍କୁ ସେଲ୍ଫ କ୍ୱାରାଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଆମେରିକା ଓ ଏସିଆ ଦେଶ ସମେତ ଅନ୍ୟ ଦେଶର ଯାତ୍ରୀମାନଙ୍କୁ ଫ୍ରାନ୍ସ ଆସିବାକୁ ଏଯାଏଁ ଅନୁମତି ମିଳିନାହିଁ। କରୋନା ବିରୋଧରେ ଲଢ଼େଇ ଏଯାଏଁ ଶେଷ ହୋଇନାହିଁ କିନ୍ତୁ ତା’ ବିରୋଧରେ ଏହା ପ୍ରଥମ ବିଜୟ ବୋଲି ମାକ୍ରୋନ କହିଛନ୍ତି। ସୂଚନାଯୋଗ୍ୟ, ଏଠାରେ ମେ ମାସରୁ ଲକ୍‌ଡାଉନ କଟକଣା କୋହଳ କରାଯାଇଛି। ଏହାପରେ ଲୋକମାନେ ସତର୍କତା ରହିବା ସହ ଘରୁ ବାହାାକୁ ବାହାରିବା ଆରମ୍ଭ କରିଦେଇଛନ୍ତି। ସୂଚନା ମୁତାବକ ଫ୍ରାନ୍ସରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୯୪, ୩୦୫ ଟପିଥିବା ବେଳେ ଏଥିରେ ମୃତ୍ୟୁ ସଂଖ୍ୟା ୨୯୪୩୯ରେ ପହଞ୍ଚିଛି। ବର୍ତ୍ତମାନ ଦେଶରେ ଆକ୍ଟିଭ କେସ୍‌ ୫୦ହଜାର ତଳେ ଥିବା ସୂଚନା ରହିଛି।

Share