ପ୍ୟାରିସ୍, ୨୩ା୮(ପି.ଟି.):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ୍ରିରାଷ୍ଟ୍ରୀୟ ଗସ୍ତକ୍ରମରେ ଗୁରୁବାର ଫ୍ରାନ୍ସରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ତାଙ୍କୁ ଫ୍ରାନ୍ସର ବହିର୍ବ୍ୟାପାର ତଥା ୟୁରୋପ ବ୍ୟାପାର ଦାୟିତ୍ୱରେ ଥିବା ମନ୍ତ୍ରୀ ଜିନ୍-ୟେଭ୍ସ୍ ଲେ ଡ୍ରାଏନ ସ୍ବାଗତ କରିଥିଲେ। ସେଠାରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ପ୍ରଧାନମନ୍ତ୍ରୀ ଏଡ୍ଓ୍ବାର୍ଡ ଫିଲିପେଙ୍କ ସହ ମୋଦି ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିବେ। ପ୍ରତିରକ୍ଷା, ଆତଙ୍କବାଦ, ପାଣିପାଗ ପରିବର୍ତ୍ତନ ଆଦି ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି। ଏହାସହ ଭାରତୀୟ ସମ୍ପ୍ରଦାୟର ଲୋକଙ୍କ ସହ ମୋଦି ବାର୍ତ୍ତାଳାପ କରିବା କାର୍ଯ୍ୟକ୍ରମ ରହିଛି। ଫ୍ରାନ୍ସରୁ ମୋଦି ଶୁକ୍ରବାର ୟୁଏଇ ଯିବା କାର୍ଯ୍ୟକ୍ରମ ରହିଛି। ସେଠାରେ ସେ ଆବୁଧାବୀର କ୍ରାଉନ୍ପ୍ରିନ୍ସ ଶେଖ୍ ମୋହମ୍ମଦ ବିନ୍ ଜାୟେଦ୍ ଅଲ୍ ନାୟାମ୍ଙ୍କ ସହ ଆଲୋଚନା କରିବେ। ଏହା ପରେ ମୋଦି ବାହାରିନ୍ ଗସ୍ତକରି ରାଜା ଶେଖ୍ ହମାଦ୍ ବିନ୍ ଇସା ଅଲ୍ ଖଲିଫାଙ୍କ ସହ ବାର୍ତ୍ତାଳାପ କରିବା କାର୍ଯ୍ୟକ୍ରମ ରହିଛି। ରବିବାର ସେ ଫ୍ରାନ୍ସ ଫେରିବା ସହ ଜି-୭ ସମ୍ମିଳନୀରେ ଯୋଗଦେବେ ବୋଲି ଜଣାପଡ଼ିଛି।