ଫ୍ରାନ୍ସର ସବୁ ସ୍କୁଲକୁ ହାଇ ଆଲର୍ଟ

ପ୍ୟାରିସ,୧୪।୧୦: ଫ୍ରାନ୍ସର ଅରାସ ସହରର ଏକ ବିଦ୍ୟାଳୟରେ ଜଣେ ଶିକ୍ଷକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିବା ବେଳେ ଅନ୍ୟ ତିନିଜଣ ଆହତ ହୋଇଥିବା ସୂଚନା ମିଳିଛି। ଏହା ପରେ ସହରର ସମସ୍ତ ସ୍କୁଲକୁ ହାଇ ଆଲର୍ଟ ଜାରି କରାଯାଇଛି। ପୋଲିସ ସୂଚନାରୁ ଜଣାପଡିଛି ଯେ, ହତ୍ୟା ପରେ ଆକ୍ରମଣକାରୀ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଶଦ୍ଦ ଉଚ୍ଚାରଣ କରିଥିଲେ। ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଏହି ଆକ୍ରମଣକୁ ବର୍ବର ଇସଲାମ ଆତଙ୍କବାଦ ରୂପେ ନିନ୍ଦା କରିବା ସହ ମୃତ ଶିକ୍ଷକ ଡୋମିନିକ ବର୍ନାର୍ଡଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।

ଲାଇସେ ଗାମ୍ବେଟା ହାଇସ୍କୁଲରେ ଏହି ଆକ୍ରମଣ ହୋଇଛି। ପୋଲିସ ସ୍କୁଲ ନିକଟରୁ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ପୋଲିସର ସୂଚନାନୁସାରେ, ସେ ଏହି ବିଦ୍ୟାଳୟର ପୂର୍ବତନ ଛାତ୍ର ଥିଲେ। ଏହା ବ୍ୟତୀତ ପୋଲିସ ଆକ୍ରମଣକାରୀଙ୍କ ଭାଇଙ୍କୁ ମଧ୍ୟ ଅଟକ ରଖିଛି। ବର୍ତ୍ତମାନ ଏହି ଘଟଣାର ଅନୁସନ୍ଧାନ ଆଣ୍ଟି-ଟେରୋଜିମ କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯାଇଛି। ପୋଲିସନୁସାରେ, ଆକ୍ରମଣକାରୀଙ୍କ ବଡ ଭାଇ ଇସଲାମ ଆତଙ୍କବାଦୀ ନେଟୱାର୍କ ସହ ଜଡିତ ଥିବା ସହ ଅନେକ ଅଭିଯୋଗରେ ଜେଲ ଦଣ୍ଡ ଭୋଗୁଛନ୍ତି।

Share