ଫ୍ରାନ୍ସ୍‌ରେ କରୋନାର ମୃତ୍ୟୁ ତାଣ୍ଡବ: ମହଙ୍ଗା ପଡ଼ିଲା ଚର୍ଚ୍ଚର ସାମୁହିକ ପ୍ରାର୍ଥନା

ପ୍ୟାରିସ୍‌,୩୧।୩: କରୋନା ସଂକ୍ରମଣ ଯୋଗୁ ଫ୍ରାନ୍ସ୍‌ରେ ମୃତ୍ୟୁର ତାଣ୍ଡବ ଜାରି ରହିଛି। ଇତିମଧ୍ୟରେ ଏଠାରେ ମୃତ୍ୟୁ ସଂଖ୍ୟା ୩,୦୨୪ ଛୁଇଁଛି। ଗୋଟିଏ ଦିନରେ ଏଠାରେ ୪୧୮ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଦେଶରେ ୨୦,୯୪୬ ସଂକ୍ରମିତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ୫,୦୫୬ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଫ୍ରାନ୍ସ୍‌ରେ ଜାରି ରହିଥିବା ଏଭଳି ସ୍ଥିତି ପାଇଁ ଫେବୃୟାରୀ ୧୮ର ସାମୁହିକ ପ୍ରାର୍ଥନା ଦାୟୀ ବୋଲି ଅନୁମାନ କରାଯାଉଛି। ଏସମ୍ପର୍କରେ ସରକାର ଏବେ ମୁହଁ ଖୋଲିଛନ୍ତି। ପ୍ରତିବର୍ଷ ମ୍ୟୁଲହାଉସ୍‌ ସ୍ଥିତ ଚର୍ଚ୍ଚରେ ଏକ ସପ୍ତାହ ବ୍ୟାପୀ ସାମୁହିକ ପ୍ରାର୍ଥନାର ଆୟୋଜନ କରାଯାଇଥାଏ। ଚଳିତ ବର୍ଷ ଏହି ପ୍ରାର୍ଥନା ଯୋଗୁ ଫ୍ରାନ୍ସ୍‌ରେ କରୋନା ମହାମାରୀ ରୂପ ନେଇଛି। ଏଥିରେ ଦେଶବିଦେଶରୁ ବହୁ ଖ୍ରୀଷ୍ଟ ଧର୍ମାବଲମ୍ବୀ ଯୋଗ ଦେଇଥିଲେ। ସାମୁହିକ ପ୍ରାର୍ଥନାରେ ୨୫୦୦ରୁ ଅଧିକ ଲୋକ କରୋନା ଦ୍ୱାରା ସଂକ୍ରମିତ ହୋଇଥିବା ସରକାର କହିଛନ୍ତି। ଫ୍ରାନ୍ସ୍‌ରେ ପ୍ରଥମ କରୋନା ସଂକ୍ରମଣ ଘଟଣା ଫେବୃୟାରୀ ୨୯ରେ ଚିହ୍ନଟ ହୋଇଥିଲା। ସାମୁହିକ ପ୍ରାର୍ଥନାରେ ଯୋଗଦେଇଥିବା ୧୭ ଜଣ ଲୋକଙ୍କ ଇତିମଧ୍ୟରେ ମୃତ୍ୟୁ ହୋଇସାରିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜର୍ମାନୀ ଫ୍ରାନ୍ସ୍‌ ସହିତ ଥିବା ସୀମାକୁ ସିଲ୍‌ କରିଦେଇଛି।

Share