ଲସ୍ଏଞ୍ଜେଲ୍ସ, ୫ା୫ (ଏଏଫ୍ପି)-ଯୁକ୍ତରାଷ୍ଟ୍ର ଆମେରିକାର ଭୋକିଲା ଶିଶୁ ମାନଙ୍କ ଲାଗି ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ଷ୍ଟାର ଖେଳାଳିମାନଙ୍କୁ ନେଇ ଆୟୋଜିତ ଏକ ଅନ୍ଲାଇନ୍ ଟେନିସ୍ ଟୁର୍ନାମେଣ୍ଟରୁ ୧ ନିୟୁତ ଡଲାର ଆୟ ହୋଇପାରିଛି। ଏଥିରେ ସେରେନା ଓ୍ବିଲିୟମ୍ସ ଓ ମାରିଆ ଶାରାପୋଭାଙ୍କୁ ପଛରେ ପକାଇ ଆମେରିକାର ଟେଲର ଫ୍ରିଜ୍ ବିଜୟ ଲାଭ କରିଛନ୍ତି। ବିଶ୍ୱର ୨୪ ନମ୍ବର ମାନ୍ୟତାପ୍ରାପ୍ତ ଫ୍ରିଜ୍ ଓ ସୋସିଆଲ ମିଡିଆ ଷ୍ଟାର ଆଡିସନ ରେ’ ଜାପାନର କେଇ ନିଶିକୋରୀ ଏବଂ ଡିଜେ ଷ୍ଟିଭ୍ ଆକୋଇଙ୍କୁ ପରାସ୍ତ କରି ‘ଷ୍ଟେ ଆଟ୍ ହୋମ୍ ସ୍ଲାମ୍’ ଟାଇଟଲ ଜିତିଛନ୍ତି। କରୋନା ଭାଇରସ୍ ଯୋଗୁ ଖେଳାଳିମାନେ ଏବେ ଗୃହାବଦ୍ଧ ଥିବାରୁ ଭେନସ ଓ୍ବିଲିୟମ୍ସ ଓ ନାଓମି ଓସାକାଙ୍କ ସମେତ ଅନ୍ୟ ଟେନିସ ଖେଳାଳିମାନେ ସେମାନଙ୍କ ଘରେ ରହି ଏବଂ ମଡେଲ ଗିଗି ହାଦିଦ୍ ଓ ହେଲି ବିବର ମଧ୍ୟ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଜନ୍ ମ୍ୟାକ୍ନ୍ରୋ କମେଣ୍ଟ୍ରି କରିଥିଲେ। ପ୍ରକୃତ ମ୍ୟାଚ ଖେଳିବା ଅପେକ୍ଷା ଏହି ଚ୍ୟାରିଟି ମ୍ୟାଚରେ ସେ ଅଧିକ ନର୍ଭସ ଅନୁଭବ କରିଥିବା ଫ୍ରିଜ୍ ପ୍ରକାଶ କରିଛନ୍ତି। ଫ୍ରିଜ୍ ଓ ରେ’ ସେମାନଙ୍କ ପୁରସ୍କାର ରାଶିକୁ ‘ନୋ କିଡ୍ ହଙ୍ଗ୍ରି’ ଚ୍ୟାରିଟିକୁ ପ୍ରଦାନ କରିଥିଲେ। ଏହି ସଂସ୍ଥା ଯୁକ୍ତରାଷ୍ଟ୍ର ଆମେରିକାରେ ଖାଦ୍ୟ ପାଇଁ ସଂଘର୍ଷ କରୁଥିବା ପିଲାମାନଙ୍କ ଥଇଥାନ କ୍ଷେତ୍ରରେ କାର୍ଯ୍ୟ କରୁଛି।