ଫ୍ରିହିଟ୍‌ ବଲରେ ବୋଲ୍ଡ ଆଉଟ୍‌ ହେଲେ ଗେଲ୍‌

ଲଣ୍ଡନ,୭।୬- ଓ୍ବେଷ୍ଟଇଣ୍ଡିଜ ଦଳର ବିସ୍ଫୋରକ ଓପନର କ୍ରିସ୍‌ ଗେଲ୍‌ ଅଷ୍ଟ୍ରେଲିଆ ବିପକ୍ଷରେ ଟ୍ରେଣ୍ଟ ବ୍ରିଜ୍‌ଠାରେ ଖେଳାଯାଇଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ଫ୍ରିହିଟ୍‌ ବଲରେ ବୋଲ୍ଡ ଆଉଟ୍‌ ହୋଇଛନ୍ତି। ଏଥିନେଇ କ୍ରିକେଟ ପଣ୍ଡିତ ଓ ପ୍ରଶଂସକମାନେ ଫିଲ୍ଡ ଅମ୍ପାୟର ରୁଚିରା ପାଲିୟାଗୁରୁଗ ଓ କ୍ରିସ୍‌ ଗଫାନେଙ୍କୁ କଡ଼ା ସମାଲାଚନା କରିଛନ୍ତି। ଏପରି କି କିମ୍ବଦନ୍ତୀ ଓ୍ବେଷ୍ଟଇଣ୍ଡିଜ ବୋଲର ମାଇକେଲ ହୋଲ୍ଡିଂ ଅମ୍ପାୟରଙ୍କୁ ନୃଶଂସ କହିଛନ୍ତି। ଏଥିସହ ଉଭୟ ଅମ୍ପାୟରଙ୍କ ମ୍ୟାଚ୍‌ ପରିଚାଳନା ଦକ୍ଷତା ନ ଥିବା କହିଛନ୍ତି। ଅଷ୍ଟ୍ରେଲିଆନ ଖେଳାଳିଙ୍କ ବାରମ୍ବାର ଅପିଲ ଯୋଗୁ ଅମ୍ପାୟରଙ୍କ ଉପରେ ଚାପ ବୃଦ୍ଧି ପାଇଥିଲା। ଫଳରେ ଦୁଇ ଅମ୍ପାୟର ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ ବୋଲି ହୋଲ୍ଡିଂ କହିଛନ୍ତି। ମ୍ୟାଚ୍‌ରେ ଦୁଇ ଥର ଖରାପ ଅମ୍ପାୟରିଂରୁ ଓ୍ବେଷ୍ଟଇଣ୍ଡିଜ ବର୍ତ୍ତିଥିଲା। ଗେଲ୍‌ ଓ ଜାସନ ହୋଲ୍ଡରଙ୍କୁ ଅମ୍ପାୟର ଆଉଟ୍‌ ଦେଇଥିଲେ। ହେଲେ ସେମାନେ ଡିଆର୍‌ଏସ୍‌ ବ୍ୟବହାର କରି ତ୍ରୁଟିପୂର୍ଣ୍ଣ ନଷ୍ପତ୍ତିରୁ ବର୍ତ୍ତିଯାଇଥିଲେ। ଅଷ୍ଟ୍ରେଲିଆ ପେସର ମିଚେଲ ଷ୍ଟାର୍କ ଧାର୍ଯ୍ୟ ସୀମା ଅତିକ୍ରମ କରି ବୋଲିଂ କରିଥିଲେ, ଯାହାକୁ ଅମ୍ପାୟର ନୋ ବଲ ଦର୍ଶାଇ ନ ଥିଲେ। ଏହାର ପରବର୍ତ୍ତୀ ବଲ ଫ୍ରି-ହିଟ୍‌ ହେବା କଥା, ହେଲେ ଗେଲ୍‌ ବୋଲ୍ଡ ଆଉଟ୍‌ ହୋଇଥିଲେ। କେବଳ ଆମେ ବ୍ୟାଟିଂ କରୁଥିବାବେଳେ ନୁହେଁ, ବୋଲିଂ କରିବାବେଳେ ଅମ୍ପାୟରିଂରେ ତ୍ରୁଟି ହୋଇଥିବା କାର୍ଲୋସ ବ୍ରାଥଓ୍ବେଟ ମଧ୍ୟ କହିଛନ୍ତି।

Share