Categories: ଖେଳ

ଫ୍ରେଞ୍ଚ୍‌ ଓପନ୍‌ ଟେନିସ୍‌:କର୍ବର ପରାସ୍ତ, ତିସିତ୍‌ସିପାସ୍‌ ବିଜୟୀ

ପ୍ୟାରିସ, ୨୭ା୫-ରବିବାରଠାରୁ ଆରମ୍ଭ ହୋଇଥିବା ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ପ୍ରଥମ ରାଉଣ୍ଡରେ ୫ମ ସିଡ୍‌ ତଥା ଓ୍ବିମ୍ବେଲଡନ ଚାମ୍ପିୟନ ଆଞ୍ଜେଲିକ୍‌ କର୍ବର ତାଙ୍କ ମ୍ୟାଚ ହାରିଯାଇଛନ୍ତି। ରୁଷିଆର ସ୍ବଳ୍ପବୟସ୍କା ଖେଳାଳି ଆନାସ୍ତାସିଆ ପୋଟାପୋଭା ତାଙ୍କୁ ୬-୪, ୬-୨ ସିଧାସଳଖ ସେଟ୍‌ରେ ହରାଇ ଦେଇଛନ୍ତି। ୧୮ବର୍ଷୀୟା ତଥା ୮୧ତମ ର଼୍ୟାଙ୍କିଙ୍ଗପ୍ରାପ୍ତ ପୋଟାପୋଭା ପ୍ରଥମ ଥର ଫ୍ରେଞ୍ଚ୍‌ ଓପନ ଖେଳୁଛନ୍ତି। ୩୧ ବର୍ଷୀୟା ଜର୍ମାନ ଖେଳାଳି ଏଥରକୁ ମିଶାଇ ୬ଷ୍ଠ ଥର ଫ୍ରେଞ୍ଚ୍‌ ଓପନର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି।
ପୁରୁଷ ସିଙ୍ଗଲ୍ସରେ ଗ୍ରୀକ୍‌ର ଉଦୀୟମାନ ଷ୍ଟାର ଖେଳାଳି ଷ୍ଟିଫାନସ ତିସିତ୍‌ସିପାସ୍‌ ଦ୍ୱିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ଚଳିତ ବର୍ଷ ଅଷ୍ଟ୍ରେଲିଆନ ଓପନ ସେମିଫାଇନାଲିଷ୍ଟ ତଥା ୨୦ ବର୍ଷୀୟ ୬ଷ୍ଠ ସିଡ୍‌ ଖେଳାଳି ୬-୨, ୬-୨, ୭-୬(୭/୪) ସେଟ୍‌ରେ ଜର୍ମାନୀର ମାକ୍ସିମିଲିଆନ୍‌ ମାର୍ଟେରର୍‌ଙ୍କୁ ହରାଇ ଦେଇଛନ୍ତି। ଦ୍ୱିତୀୟ ରାଉଣ୍ଡରେ ସେ ଭାରତର ପ୍ରଜନେଶ ଗୁଣେଶ୍ୱରନ କିମ୍ବା ବଲିଭିଆର ହୁଗୋ ଡିଲିଏନ୍‌ଙ୍କ ସହ ମୁକାବିଲା କରିବେ।

Share