Categories: ଖେଳ

ଫ୍ରେଞ୍ଚ୍‌ ଓପନ ବ୍ୟାଡ୍‌ମିଣ୍ଟନ ଫାଇନାଲରେ ସ୍ବସ୍ତିକ-ଚିରାଗ

ପ୍ୟାରିସ, ୨୭।୧୦(ପି.ଟି.): ଭାରତର ପୁରୁଷ ଡବଲ୍ସ ଯୋଡ଼ି ସ୍ବସ୍ତିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଚମତ୍କାର ପ୍ରଦର୍ଶନ ଅବ୍ୟାହତ ରଖି ଫ୍ରେଞ୍ଚ୍‌ ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ରବିବାର ଅନୁଷ୍ଠିତ ସେମିଫାଇନାଲରେ ଏହି ଯୋଡ଼ି ଜାପାନର ହିରୋୟୁକି ଇନ୍‌ଡୋ ଓ ୟୁତା ଓ୍ବାତାନାବେଙ୍କୁ ୨୧-୧୧, ୨୫-୨୩ ପଏଣ୍ଟରେ ପରାସ୍ତ କରିଛନ୍ତି। ଗତ ଅଗଷ୍ଟରେ ସ୍ବସ୍ତିକ-ଚିରାଗ ଥାଇଲାଣ୍ଡ ଓପନ ସୁପର ୫୦୦ ଟାଇଟଲ ହାସଲ କରିଥିଲେ। ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁ ଓ ଅଲିମ୍ପିକ୍‌ ବ୍ରୋଞ୍ଜ ମେଡାଲିଷ୍ଟ ସାଇନା ନେହ୍ବାଲ କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଥିବାରୁ ସ୍ବସ୍ତିକ-ଚିରାଗ ଭାରତୀୟ ସମ୍ଭାବନାକୁ ଉଜ୍ଜୀବିତ ରଖିଛନ୍ତି। ଫାଇନାଲରେ ଏ ଦୁହେଁ ଇଣ୍ଡୋନେସିଆ ଯୋଡ଼ି ମାର୍କୁସ ଗିଡେଅନ ଓ କେଭିନ ସୁକାମୁଜୋଙ୍କୁ ଭେଟିବେ।

Share